ଖୋର୍ଦ୍ଧା: ପୌରାଣିକ ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ ପାଇଁ ବ୍ୟବହାର ହୋଇଥାଏ କାଠ ତିଆରି ମୁଖା । କିନ୍ତୁ ପୌରାଣିକ ନାଟକ ବନ୍ଦ ହେବା ପରେ ଏହି କାଠ ମୁଖା ଏବେ ଘର ସାଜସଜ୍ଜାରେ ବ୍ୟବହାର କରାଯାଇ ଘରକୁ ଆକର୍ଷଣୀୟ ରୂପ ଦିଆଯାଉଛି । ଆଉ ଏହି କାଠ ତିଆରି ମୁଖା ପ୍ରସ୍ତୁତ କରି ଓଡ଼ିଶାରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଗାଁର ଯୁବଶିଳ୍ପୀ କଳ୍ପତରୁ ପଣ୍ଡା ।
ଦିନଥିଲା କେତେକ ପୌରାଣିକ ବିଷୟକୁ ନେଇ ଆଧାରିତ ରାମ ନାଟକ, ସୁଆଙ୍ଗ ଓ ଗୀତିନାଟ୍ୟ ଆଦିରେ ଅନେକ କଳାକାର ବିଭିନ୍ନ ଚରିତ୍ରରେ କାଠ ତିଆରି ବିଭିନ୍ନ ମୁଖାକୁ ବ୍ୟବହାର କରି ଚରିତ୍ର ଅଭିନୟ କରୁଥିଲେ। ଯାହାକି ଦର୍ଶକଙ୍କ ମନ ମୋହୁଥିଲା । କିନ୍ତୁ ଏବେ ଯୁଗ ବଦଳିଲା ତା ସହ ଏହି କାଠ ମୁଖାର ପ୍ରସ୍ତୁତି ମଧ୍ୟ୍ୟ କମିବାରେ ଲାଗିଲା । ଆମ କଳା କାରିଗରିର ଭିନ୍ନ ପରିଚୟ ଦେଉଥିଲା ଏହି କାଠ ମୁଖା । କିନ୍ତୁ ଏବେ ପୌରାଣିକ ନାଟକ ବନ୍ଦ ହେବା ଫଳରେ ଏହି କାଠ ତିଆରି ମୁଖା ଏବେ ଅନେକ ଶୋ’ରୁମ ଓ ଘର ସାଜସଜ୍ଜା ସାମଗ୍ରୀ ପାଲଟିଛି । ଆଉ ଯାହାକୁ ଏବେ ପେଶା ଭାବେ ଗ୍ରହଣ କରଛନ୍ତି ଖୋର୍ଦ୍ଧା ବାଘମାରି ଗ୍ରାମର କଳ୍ପତରୁ ପଣ୍ଡା ।
କେବଳ କଳ୍ପତରୁ କାଠ ମୁଖା ପ୍ରସ୍ତୁତ କରନ୍ତି ନାହିଁ ବରଂ କାଠରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଯେମିତି ତାଙ୍କ ହାତର ସ୍ପର୍ଶରେ ପାଲଟିଯାଏ ଜୀବନ୍ତ । ସେହିପରି କଳ୍ପତରୁ ନିଜ ଅଞ୍ଚଳର ପ୍ରାୟ ୭ ଜଣ ଯୁବକଙ୍କୁ ଏହି କାଠ ମୁଖା ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦେଇ କରାଇଛନ୍ତି ସ୍ୱାବଲମ୍ବୀ । କଳ୍ପତରୁ ପେସାରେ ଜଣେ ପଥର ଶିଳ୍ପୀ କିନ୍ତୁ ମୂର୍ତ୍ତି ତିଆରି ପଥରର ଘୋର ଅଭାବ ପାଇଁ ସେ ଏବେ କାଠ ମୁଖା ପ୍ରସ୍ତୁତ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି । ଗ୍ରାମଞ୍ଚଳରେ ସହଜରେ ମିଳୁଥିବା ସିମିଳି, ପାଳଧୁଆ, ଗମ୍ଭାରୀ, ଲିମ୍ବ ଆଦି କାଠ ସଂଗ୍ରହ କରି ସେଥିରେ ତିଆରୀ କରୁଛନ୍ତି ସୁନ୍ଦର ସୁନ୍ଦର ରାବଣ, ରାହୁ, ହନୁମାନ ଆଦି ବିଭିନ୍ନ ମୁଖା ।