ଖୋର୍ଦ୍ଧା:୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା ଏସଟିଏଫ୍ । ବ୍ରାଉନ ସୁଗାର ଏବଂ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଖୋର୍ଦ୍ଧା ଏସଟିଏଫ ଟିମ୍। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଟାଙ୍ଗିଆପଡା ସାନି କ୍ଲିନ ପ୍ରାଇଭେଟ କମ୍ପାନୀ ପରିସରରେ ଆଜି ଏସଟିଏଫ ଟିମ୍ ଆଦର୍ଶ ଥାନା ଅଧୀନରେ ୫୨୫୭ କିଲୋଗ୍ରାମ ଗଞ୍ଜେଇ ଏବଂ ୧କେଜି ୪୨ଗ୍ରାମ ବ୍ରାଉନସୁଗରକୁ ପୋଡି ନଷ୍ଟ କରିଛି । ଏଠାରେ ବିପୁଳ ପରିମାଣର ଗଞ୍ଜେଇ ଏବଂ ବ୍ରାଉନସୁଗର ରହିଥିବା ଏସଟିଏଫ ଟିମ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।
ଆଇଜି ଜେ.ଏନ୍ ପଙ୍କଜ, ଏସପି କେ.କେ.ପାଣିଗ୍ରାହୀ, ଖୋର୍ଦ୍ଧା ଡେପୁଟି କଲେକ୍ଟର, ସାଇଣ୍ଟିଫିକ ଟିମଙ୍କ ସମେତ ଏସଟିଏଫର ଏକ ୧୦ଜଣିଆ ଟିମର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜବତ ନିଶା ସାମଗ୍ରୀକୁ ପୋଡ଼ି ନଷ୍ଟ କରାଯାଇଛି । ଆଇଜିଙ୍କ ସୂଚନା ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୁଦ୍ଧା ୨୫କେଜି ୫୩୮ ଗ୍ରାମ ବ୍ରାଉନସୁଗାର ଓ ୧୧୫ କ୍ୟୁଣ୍ଟାଲ ୯୭ କେଜି ଗଞ୍ଜେଇ ନଷ୍ଟ କରାଯାଇଛି । ଜବତ ନିଶା ସାମଗ୍ରୀରର ଏଭଳି ନଷ୍ଟ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହାସହିତ ଅବକାରୀ ବିଭାଗ, ପୋଲିସ ବିଭାଗ ଓ ଏସଟିଏଫର ମିଳିତ ଚଢ଼ଉ ଆଗକୁ ଜାରି ରହୁ ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏସଟିଏଫ ଆଇଜି ଜେ.ଏନ ପଙ୍କଜ କହିଛନ୍ତି, ''ଆଜି ଏସଟିଏଫ ୩ ଟି କେସର ୧ କେଜିରୁ ଊର୍ଦ୍ଧ୍ବ ବ୍ରାଉନ ସୁଗାର ଏବଂ ୫୨୫୭ କେଜି ଗଞ୍ଜେଇ ନଷ୍ଟ କରିଛନ୍ତି । କୋର୍ଟର ନିର୍ଦ୍ଦେଶ ଅନୁସାରେ ଏହାକୁ ନଷ୍ଟ କରାଯାଇଛି । ସମସ୍ତ ସରକାରୀ ନିୟମ ଅନୁସାରେ ଏସଟିଏଫ ଏଭଳି ପଦକ୍ଷେପ ନେଇଛି । ତେବେ ଏହି ଡ୍ରାଇଭ ଏବେ ଆରମ୍ଭ ହୋଇ ନାହିଁ । ୩-୪ ମାସ ଆଗରୁ ଏହି ନିଶା ସାମଗ୍ରୀକୁ ଜଗତ କରାଯାଇ ତାକୁ ପୋଡ଼ି ନଷ୍ଟ କରାଯାଉଛି । ଏଥିରେ ପାଖାପାଖି ୮୭୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି । ସେହିପରି ୩୦ କେଜି ବ୍ରାଉନ ସୁଗାରକୁ ମଧ୍ୟ ନଷ୍ଟ କରାଯାଇଛି ।''