ଖୋର୍ଦ୍ଧା: ବସ ଷ୍ଟାଣ୍ଡ ଅଛି, ହେଲେ ଷ୍ଟାଣ୍ଡାକୁ ନା ଆସୁଛି ବସ ନା ଆସୁଛନ୍ତି ଯାତ୍ରୀ । ରାସ୍ତା ଉପରେ ବସରେ ଚଢ଼ୁଛନ୍ତି ଏବଂ ଓହ୍ଲାଉଛନ୍ତି । ଉଦ୍ଘାଟନକୁ ୨୩ ବର୍ଷ ବିତିଗଲା, ହେଲେ ଜଟଣୀ ବିଡିଏ ନୂଆ ବସ ଷ୍ଟାଣ୍ଡରୁ ନିୟମିତ ବସ ଚଳାଚଳ ଆରମ୍ଭ ହେଲାନାହିଁ । ଯାହାଦ୍ବାରା ଲୋକେ ଅସୁବିଧା ଭୋଗିବା ସହ ଯାତ୍ରୀମାନେ ହୀନସ୍ତା ହେଉଛନ୍ତି । ବସ ଷ୍ଟାଣ୍ଡ୍ ଥିବା ସତ୍ତ୍ବେ ବିପଦପୂର୍ଣ୍ଣ ଭାବେ ରାସ୍ତାରେ ବସକୁ ଉଠୁଛନ୍ତି । କିନ୍ତୁ ସବୁ ଜାଣି ନଜାଣିବା ଭଳି ପ୍ରଶାସନ ଓ ରାଜନେତା ଚୁପ ରହୁଥିବା ଅଭିଯୋଗ ହୋଇଛି ।
୨୦୦୦ ମସିହା ଜାନୁଆରୀ ମାସରେ ଜଟଣୀରେ ନୂଆ ବସ ଷ୍ଟାଣ୍ଡ ଉଦ୍ଘାଟନ ହୋଇଥିଲା । ବସଯାତ୍ରୀ, କର୍ମଚାରୀଙ୍କ ପାଇଁ ଅପେକ୍ଷା ଗୃହ, ଟିକେଟ ବିକ୍ରି କେନ୍ଦ୍ର, ଜଳପାନ ଗୃହ, ଦୋକାନ ଗୃହ ଓ ବସର ସମୟ ସାରଣୀ ବ୍ୟବସ୍ଥା କରାଯାଇଥିଲା । ଉଦ୍ଘାଟନ ତ ହେଲା, କିନ୍ତୁ ବସ୍ ଷ୍ଟାଣ୍ଡ ଦେଇ ବସ ଗଡ଼ିଲାନି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବସ ଷ୍ଟାଣ୍ଡ ଏବେ ଅସାମାଜିକଙ୍କ ପାଲଟିଛି ଅଡ୍ଡାସ୍ଥଳୀ । ଯାତ୍ରୀ ପ୍ରତିକ୍ଷାଳୟ ପରିସର ଆବର୍ଜନାମୟ ହୋଇ ପଡିରହିଥିବା ବେଳେ ଶୌଚାଳୟରେ ତାଲା ଝୁଲୁଛି । ଆଉ ବସ ଷ୍ଟାଣ୍ଡ ବୁଲା ଷଣ୍ଢ ଓ ଗାଇଙ୍କ ବିଶ୍ରାମସ୍ଥଳ ପାଲଟିଛି । ବସ ଷ୍ଟାଣ୍ଡରେ ଲାଗିଥିବା ଫଳକରୁ ଜଣାପଡେ ୧୬ ଅଗଷ୍ଟ ୧୯୯୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ବର୍ତ୍ତମାନର ଜଟଣୀ ବିଧାୟକ ତଥା ସେତେବେଳର ଅବକାରୀ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।