ଖୋର୍ଦ୍ଧା: ଓଡ଼ିଆଙ୍କ ପାଇଁ ନିଆରା ପରିଚୟ ସୃଷ୍ଟି କରିଥିବା ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛାର ଚାହିଦା କମିବାରେ ଲାଗିଛି । ପୂର୍ବରୁ ଖୋର୍ଦ୍ଧା ଲୁଙ୍ଗି ଗାମୁଛା ଜାତୀୟ ଶିଳ୍ପର ମାନ୍ୟତା ପାଇଥିଲା । ହେଲେ ଏବେ ସମୟ ପରିବର୍ତ୍ତନ ହେବା ସହ ଏହି ହସ୍ତତନ୍ତର ଚାହିଦା କମିଛି । ଏଠାକାର ବୁଣାକାରମାନେ ଲୁଙ୍ଗିକୁ ଏମିତି ଭାବେ ପ୍ରସ୍ତୁତ କରିଥିଲେ ଯେ ତାହା ହାତକୁ ଯେତିକି କୋମଳ ସେତିକି ଚିକ୍କଣ ଲାଗୁଥିଲା । ସେହିପରି ଖୋର୍ଦ୍ଧା ଲାଲ ଗାମୁଛା ଓ ନୀଳ ଲୁଙ୍ଗି ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଯୁବକ ଓ କିଶୋରଙ୍କ ପ୍ରଥମ ପସନ୍ଦ ଥିଲା । କିନ୍ତୁ ଯଦିଓ ଏହାର ଚାହିଦା ଅଛି କିନ୍ତୁ ଅନ୍ୟମାନେ ଖୋର୍ଦ୍ଧା ଗାମୁଛା ନାଁରେ ବଜାରରେ ନକଲି ଗାମୁଛା ବିକ୍ରି ହେଉଛି । ଯେଉଁଥି ପାଇଁ ଏହାର ପୂର୍ବ ଭଳି ଗୁଣବତ୍ତା ନରହିବା ଫଳରେ ଲୋକେ ଖୋର୍ଦ୍ଧା ଗାମୁଛା ପରିବର୍ତ୍ତେ ଅନ୍ୟ ଗାମୁଛା ବ୍ୟବହାର କରୁଥିବା ଜଣାପଡ଼ିଛି ।
ଅନ୍ୟପଟେ ବୁଣାକାର କହିଛନ୍ତି,"କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଗାମୁଛା ଓ ଲୁଙ୍ଗି ପ୍ରସ୍ତୁତ କରୁଥିବା ବୁଣାକାରଙ୍କ ସଂଖ୍ୟା କମୁଛି । ବଜାରରୁ ଖୋର୍ଦ୍ଧା ଲୁଙ୍ଗି ହଜିଯାଇଥିବା ବେଳେ ଗାମୁଛା ଗୁଡ଼ିକ ଖତ ଖାଉଛି । ବୁଣାକାରମାନେ ନିଜ ବୃତ୍ତିରୁ ମୁହଁ ଫେରାଇ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି ।" ସୂଚନା ଅନୁସାରେ, ପ୍ରାୟ 70 ବର୍ଷ ପୂର୍ବେ ଖୋର୍ଦ୍ଧାରେ ଗାମୁଛା ପ୍ରସ୍ତୁତି ଆରମ୍ଭ ହୋଇଥିଲା । 1960 ମସିହାରେ ଏହାର ବହୁଳ ଚାହିଦା ବଢିଥିଲା । 1985 ମସିହାରେ କୃଷ୍ଣମୁରାରୀ ଶାହା ଏକ ତନ୍ତ କଳ ସ୍ଥାପନ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ତନ୍ତବାୟ ସଂଖ୍ୟା ବୃଦ୍ଧି ପାଇଥିଲା । ସେହି ସମୟରେ ଖୋର୍ଦ୍ଧା ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ତନ୍ତବାୟ ସମବାୟ ସମିତି ମଧ୍ୟ ଥିଲା ।