ଖୋର୍ଦ୍ଧା:ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା । ବର୍ତ୍ତମାନ ସୁଦ୍ଧା 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଲା ବିସ୍ଫୋରଣ ସମୟରେ ସେହି ଭୟଙ୍କର ଦୃଶ୍ୟ । ବାଣ ତିଆରି ଚାଲିଥିବା ଘରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ଗୁଡିକ ବିସ୍ଫୋରଣ ହେବାରୁ ଘରେ ନିଆଁ ଲାଗିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ଘଟିବା ପରେ ଜିଲ୍ଲା ପ୍ରସାଶନ ଓ ପୋଲିସ ପ୍ରଶାସନ ତଦନ୍ତକୁ ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 62 କେଜି ବିସ୍ଫୋରକ ଜବତ କରାଯିବା ସହ 6 ଜଣଙ୍କୁ ଗିରଫ କରାଯାଇଛି ।
ବାଣ ବିସ୍ଫୋରଣ ଘଟଣା ପରେ ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଣ ବ୍ଯବସାୟୀ ମାନଙ୍କ ଘରେ ଓ ଗୋଦାମରେ ଚଢାଉ କରିଥିଲା ପୋଲିସ । ଏହି ସମୟରେ ବିପୁଳ ପରିମାଣର ବାଣ ସହ ବାଣ ତିଆରି ସାମଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାରେ ଚିତ୍ତରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ 41/23ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି । ସେହିଭଳି ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ ଚଢାଉ କରି କବି ମଲ୍ଲିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 5 କେଜି ବିସ୍ଫୋରକ ସହ ବାଣ ଜବତ କରି 65/23 ରେ କେସ ରୁଜୁ କରାଯାଇଛି ।