ଓଡିଶା

odisha

ETV Bharat / state

ଖରିଫ କାର୍ଯ୍ୟକ୍ରମ ୨୦୨୩କୁ ସିଏସଙ୍କ ଅନୁମୋଦନ, ଫସଲ ବିିବିଧିକରଣ ଓ ଆୟବୃଦ୍ଧିକୁ ପ୍ରାଥମିକତା - ଖରିଫ କାର୍ଯ୍ୟକ୍ରମରେ ଫସଲ ବିିବିଧିକରଣ ଲକ୍ଷ୍ୟ

ଖରିଫ କାର୍ଯ୍ୟକ୍ରମ ୨୦୨୩କୁ ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନ । କାର୍ଯ୍ୟକ୍ରମରେ ଫସଲ ବିିବିଧିକରଣ ଓ ଆୟବୃଦ୍ଧିକୁ ଫୋକସ୍ । ଅଧିକ ପଢନ୍ତୁ

ଖରିଫ କାର୍ଯ୍ୟକ୍ରମ ୨୦୨୩
ଖରିଫ କାର୍ଯ୍ୟକ୍ରମ ୨୦୨୩

By

Published : Jun 9, 2023, 8:27 AM IST

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରସ୍ତୁତ ଖରିଫ କାର୍ଯ୍ୟକ୍ରମ ୨୦୨୩କୁ ଅନୁମୋଦନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଖରିଫ ୨୦୨୩ କାର୍ଯ୍ୟକ୍ରମରେ ରାଜ୍ୟର ୬୧.୮୦ ଲକ୍ଷ ହେକ୍ଟର ଚାଷଜମିରୁ ୧୧୬.୮୨ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ, ୨.୨୨ ଲକ୍ଷ ମେଟ୍ରିକ ଟନ ତୈଳବୀଜ, ୯.୨୮ ଲକ୍ଷ ଗାଣ୍ଠି ତନ୍ତୁଜ ଏବଂ ୮୭.୪୨ ଲକ୍ଷ ମେଟ୍ରିକ ଟନ ପନିପରିବା ଓ ମସଲା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ଦ୍ବାରା ସ୍ବାଭାବିକ ମୌସୁମୀ ବର୍ଷର ପୂର୍ବାନୁମାନ ଅନୁଯାୟୀ ଏହି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଖରିଫ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରାୟ ଦୁଇ ଲକ୍ଷ ହେକ୍ଟର ଧାନ ଚାଷ ଜମିରେ ଫସଲର ବିବିଧିକରଣ କରାଯିବ । ଅଧିକ ଅର୍ଥକରୀ ଫସଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ ମିଶନ, ଫସଲର ବିବିଧିକରଣ, ସମନ୍ବିତ କୃଷି, ଫାର୍ମପଣ୍ଡ ପ୍ଲସ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯାନ୍ତ୍ରିକୀକରଣରେ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ, ଜଳନିଧି ଓ ସୌରଜଳନିଧି ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି । ଓଡ଼ିଶା ମିଲେଟ ମିଶନକୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୧୭୭ଟି ବୃଷ୍ଟିପୁଷ୍ଟ ବ୍ଲକକୁ ସଂପ୍ରସାରିତ କରାଯାଇଛି । ସେହିପରି ଫସଲର ବିବିଧିକରଣ କାର୍ଯ୍ୟକ୍ରମରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପର ଆୟକଟ ଅନ୍ତର୍ଗତ ସମ୍ଭାବ୍ୟ ଉଚ୍ଚ ଏବଂ ମଧ୍ୟମ ଧାନଜମିରେ ବିଭିନ୍ନ ଅଣଧାନ ଉଚ୍ଚମୂଲ୍ୟର ଫସଲ ଚାଷ ଯଥା-ଡାଲି, ତୈଳବୀଜ ଏବଂ ପନିପରିବା ଚାଷ କରାଯିବା ପାଇଁ ଯୋଜନା କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବୃହତ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରି କୃଷି କ୍ଷେତ୍ରରେ ବିଭିନ୍ନ କୃଷି ଯନ୍ତ୍ରପାତି ଓ ଉପକରଣର ବ୍ୟବହାରକୁ ଲୋକପ୍ରିୟ କରିବା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି । ଜଳନିଧି କାର୍ଯ୍ୟକ୍ରମ ଅଧିନରେ ବ୍ୟକ୍ତିଗତ ଲିଫ୍ଟ ଜଳସେଚନ ପଏଣ୍ଟ ଓ ପମ୍ପ ସେଟ୍ ସ୍ଥାପନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଏଥି ସହିତ ଭୂତଳ ଜଳର ଉତ୍ସକୁ ବ୍ୟବହାର କରି ଅଧିକରୁ ଅଧିକ ଜମିକୁ ନିଶ୍ଚିତ ଜଳସେଚନର ଅନ୍ତର୍ଗତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜଳସେଚନ ନିମନ୍ତେ ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇ ସୋଲାର ଫଟୋ ଭେଲଟାଇକ ପମ୍ପସେଟ ଏବଂ ସୌର ଉଠା ଜଳସେଚନ ପ୍ରକଳ୍ପକୁ ଲୋକପ୍ରିୟ କରାଯିବ ।

ଖରିଫ କାର୍ଯ୍ୟକ୍ରମ ୨୦୨୩ରେ ଉଦ୍ୟାନ କୃଷି କ୍ଷେତ୍ରରେ ଅଧିକ ଆୟର ସମ୍ଭାବନାକୁ ଦୃଷ୍ଟିରେ ରଖି ଖରିଫ ଆଳୁ, କଫି, କାଜୁ ଆଦି ଅର୍ଥକରୀ ଫସଲ, ଅଏଲ ପାମ, ହାଇବ୍ରିଡ ପନିପରିବା ଚାଷ, ପଣସ ମିଶନ, ଛତୁ ମିଶନ ଇତ୍ୟାଦିକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ଅଧିକ ଆୟ ପାଇବା ପାଇଁ ପର୍ଯ୍ୟାପ୍ତ ମାର୍କେଟ ଲିଙ୍କେଜ ସୁବିଧା କରି କୃଷକମାନଙ୍କୁ ଗୋଷ୍ଠୀରେ ସଂଗଠିତ କରିବା ପାଇଁ କୃଷକ ଉତ୍ପାଦନ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯିବ । ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଆଦି ଦରକାରୀ କୃଷି ସାମଗ୍ରୀ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବା ପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି ।

ସେହିପରି ଖରିଫ ଋତୁରେ ଚାଷୀମାନଙ୍କୁ ୨୦,୭୯୨ କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସମସ୍ତ ଇଚ୍ଛୁକ ଚାଷୀ ଏବଂ ଋଣଗ୍ରହୀତା ଚାଷୀମାନଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଖରିଫ ଋତୁରେ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଥିବା ପରିପ୍ରେକ୍ଷୀରେ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବା ସହିତ ଏହାର ପ୍ରଭାବକୁ ହ୍ରାସ କରିବା ଓ କୃଷି କ୍ଷେତ୍ରରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଉଦ୍ଦେଶ୍ୟରେ କଣ୍ଟିଜେଣ୍ଟ ପ୍ଲାନ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର କୃଷି ପରିବେଶ ଅନୁଯାୟୀ ଉପଯୁକ୍ତ ରଣନୀତି ସହିତ ଖରିଫ ଫସଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଖରିଫ ସର୍କୁଲାର ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details