ଭୁବନେଶ୍ବର: ଅପେରା ଲଢେଇରେ କମ୍ପୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ମହାମାରୀ କୋରୋନା ପାଇଁ ଗତ ଦୁଇ ବର୍ଷ ହେଲା ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଥିବା ବେଳେ ଏଥର ୬ଟି ପେଣ୍ଡାଲରେ ଯାତ୍ରାର ଆୟୋଜନ କରାଯାଇଛି । କାରଣ କୋରୋନା କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ଏହି ଯାତ୍ରା ମହାକୁମ୍ଭ ପାଇଁ ଅନୁମତି ମିଳିଛି । ତେଣୁ ଲୋକଙ୍କ ଭିତରେ ଉତ୍କଣ୍ଠା ଭରି ରହିଥିବା ବେଳେ ରାତି ହେଲେ ଯାତ୍ରା ପ୍ରେମୀଙ୍କ ଭିଡ ଲାଗୁଛି । ମୁହଁରେ ପାଉଡର ମାରି କଳାକାର ଟିଏ ତା ଚରିତ୍ରରେ ନିଜକୁ ସୁସଜ୍ଜିତ ହୋଇ ରଙ୍ଗ ମଞ୍ଚର ରଙ୍ଗୀନ ଆଲୋକରେ ନିଜର ନିଜର କଲା ପ୍ରଦର୍ଶନ ପାଇଁ ଉତ୍କଣ୍ଠା ସହ ଚାହିଁ ରହିଥାଏ ।
ଚିକମିକ ରଙ୍ଗୀନ ଆଲୋକରେ ଖଣ୍ଡଗିରି ଯାତ୍ରା ମଞ୍ଚ ଦୁଲୁକି ଉଠିଛି । ଯାତ୍ରା ଆରମ୍ଭରୁ ରେକର୍ଡ ଡ୍ୟାନ୍ସ ସାଙ୍ଗକୁ ମନମତାଣିଆ କମେଡି ସହ ନାୟକ ନାୟିକାଙ୍କ କୋହଭରା ଓ ଖଳନାୟକାଙ୍କ କର୍କଶ ସ୍ଵରରର ସଂଳାପରେ ରୋମାଞ୍ଚିତ ହେଉଛି ରାତିର ରଙ୍ଗୀନ ମଞ୍ଚ । ଜଲିଉଡ୍ର ଜଣାଶୁଣା ଯାତ୍ରା କଳାକାର ଭାଗ୍ୟଶ୍ରୀ, ଟିକି, କାହ୍ନା, ବାପି ପଣ୍ଡା, ସଞ୍ଜୟ ଭୋଳ ଓ କମଳ ନନ୍ଦଙ୍କ ଅଭିନୟର ଯାଦୁ ଯାତ୍ରାପ୍ରେମୀଙ୍କ ଠାରେ ଉଷ୍ମତା ଭରି ଦେଉଛି । ମହତାବ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ମହତାବ ପଡ଼ିଆରେ ପ୍ରଥମ ରାତିରେ ବିଶ୍ବଦରବାର ଭେଟି ଦେଇଛି କଳାରଙ୍ଗ ନାହିଁ କଳା ନାୟକ’ ଓ ମୃତ୍ୟୁର ମଣିଷ ।
ଷ୍ଟାଇଲିସ୍ ନାୟକ ବାପି ପଣ୍ଡା ଓ କମଳ ନନ୍ଦଙ୍କ ଅଭିନୟ ପ୍ରଥମ ରାତିରେ ଦର୍ଶକଙ୍କ ମନ କିଣିଛି । ଚର୍ଚ୍ଚିତ ଖଳନାୟକ ସଞ୍ଜୟ ଭୋଳଙ୍କ ଛାତିଥରା ସଂଳାପ ସମସ୍ତଙ୍କୁ ଯାତ୍ରା ପ୍ରତି ଆକର୍ଶିତ କରୁଛି । ସେହିଭଳି ହାସ୍ୟାଭିନେତା କମେଡି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସୁଛି । ସନାତନ ସେବା ମଣ୍ଡପରେ ସୂର୍ଯ୍ୟମନ୍ଦିର ପରଷି ଦେଇଛି ହସକାନ୍ଦଭରା ନାଟକ ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’ । ଟିକିନା, ଶୁଭେନ୍ଦୁ, ବାପି, ଟୁକୁଙ୍କୁ ଅଭିନୟ ସମସ୍ତଙ୍କ ମନ କିଣିଥିଲା । ଏହି ନାଟକର କାହାଣୀ ଦର୍ଶକମାନଙ୍କ ଆଖିରେ ଅମାନିଆ ଲୁହର ଲହଡ଼ି ସୃଷ୍ଟି କରିଥିଲା ।
ଏ ସମ୍ପର୍କରେ ଯାତ୍ରା ଅଭିନେତା ବାପି ପଣ୍ଡା କହିଥିଲେ, ''୨ ବର୍ଷ ପରେ ଆମେ ଯାତ୍ରା ମଞ୍ଚକୁ ଆସିଛୁ । ପୁରା ରାଜଧାନୀ ଏଥିପାଇଁ ଦୁଲକୁଛି । ଶହଶହ ଦର୍ଶକଙ୍କ ଭିଡ଼ ଲାଗୁଛି । ଏହାକୁ ଦେଖି ଆମକୁ ଖୁସି ଲାଗୁଛି । ତେବେ ପୂର୍ବଥର ବା ଆଗରୁ ଯେଭଳି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିଲା ତାହାକୁ ଏଥର ବାରଣ କରାଯାଇଛି । ତେଣୁ ସମସ୍ତେ ନିଜ ପରିବାର ସହ ଏଠାକୁ ଆସନ୍ତୁ ଆଉ ଯାତ୍ରା ଦେଖନ୍ତୁ । ଦର୍ଶକଙ୍କ ଭଲପାଇବା ହିଁ ଆମ ପାଇଁ ବଡ଼ ଆଶୀର୍ବାଦ ।''
ତେବେ ଶିବାନୀ ଗଣନାଟ୍ୟର ନାଟକ ‘ଆଖି ତୋର ଲୁହ ମୋର’ ଆଜି ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ଲୋକଙ୍କ ଆଖିରେ ଲୁହ ଆଣିଦେଇଥିଲା । ସେହିପରି ଫିଲ୍ମ ହଲ କିମ୍ୱା କୌଣସି ଅନୁଷ୍ଠାନରେ କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ସମସ୍ତ ଅପେରା ପାର୍ଟିର ରେକର୍ଡ ଡ୍ୟାନ୍ସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସମସ୍ତ ଦର୍ଶକ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହାପରେ ଝୁଲୁରେ ନିତାଇ ଝୁଲୁ,ମେଘରେ ମେଘ ଗୀତ ଗୀତ ପରିବେଷଣ ସହ ଡ୍ୟାନ୍ସ ଆରମ୍ଭ ହୋଇଥିଲା । ଏହାକୁ ନେଇ ଖଣ୍ଡଗିରି ମେଳାର ଯାତ୍ରା ଚଳିତ ବର୍ଷ ବେଶ ଧୂମଧାମରେ ଚାଲିଛି ।