ସରିଲା ଖଣ୍ଡଗିରି ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ଭୁବନେଶ୍ବର:ଗତ କିଛି ଦିନ ଧରି ରାଜଧାନୀରେ ଆନନ୍ଦ ଉଲ୍ଲାସ ଖେଳାଇଥିବା ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦଯାପିତ ହୋଇଛି । ଏହି ମହୋତ୍ସବରେ ନାଗା ବାବାଙ୍କଠାରୁ ଆଶୀର୍ବାଦ ନେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିଲା । ସେପଟେ ମନୋରଞ୍ଜନ ଲାଗି ଯାତ୍ରା ମଞ୍ଚ ନିକଟରେ ମଧ୍ୟ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା । ଏହି ମହୋତ୍ସବର ଅନ୍ତିମ ଦିନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଛନ୍ତି ଦର୍ଶକ । ଆଲବମ ଜଗତର ବେଶ ଜଣାଶୁଣା କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକଙ୍କ ‘ସମ୍ମୋହିନି’, ‘ରାଜହଂସି ଚାଲିରେ ତୋ’, ‘ଶୁଣିବାକୁ ଚାହେଁ ତୋତେ’, ଭଳି ଗୀତରେ ମଧ୍ୟ ଦର୍ଶକ ଖୁବ ଝୁମିଥିଲେ।
ଖଣ୍ଡଗିରିସ୍ଥିତ OTDC ପାନ୍ଥିକା ପରିସରରେ ଭୁବନେଶ୍ବର ସାଂସ୍କୃତିକ ପରିଷଦ ଓ ଅନୁଷ୍ଠାନ କଲ୍ୟାଣ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ଦର୍ଶକ ଖୁବ ନାଚିଥିଲେ । ଅବିନାଶ ଦାଶଙ୍କ ‘ତେରୀ ଦିୱାନୀ’, ‘ଲାଜକୁରି ଲତାଗୋ’, ‘ପେଗ୍ ବଢ଼େଇ ଦେ’ ଭଳି ଗୀତର ତାଳେ ତାଳେ ଧୁମ୍ ନାଚିଥିଲେ ଦର୍ଶକ । ଆଉ ‘ଗୁଆ ଘିଅ’ ଗୀତ ବାଜିବା ବେଳକୁ ସାଧାରଣ ଜନତାଙ୍କ ସହିତ ନାଚିଥିଲେ ଉପସ୍ଥିତ କର୍ପୋରେଟର ଓ ସଂଙ୍ଗଠନର ସବୁ ସଦସ୍ୟ । ସେହିପରି ଗାୟୀକା ଚେଲ୍ସି ବେଉରାଙ୍କ ‘ଝୁମ୍ ଝୁମ୍ ଝୁମ୍ ବାବା’, ‘ବ୍ୟାଙ୍ଗ ବ୍ୟାଙ୍ଗ’,‘ସିଲା କି ଜୱାନୀ’ ଭଳି ହିନ୍ଦୀ ଗିତ ସହିତ ଶର୍ମିଷ୍ଟା ସରକାରଙ୍କ ‘ହରହର ଶମ୍ଭୁ’, ନୂଆ ସାଏରୀ ନା ନୂଆ କବିତା’, ‘ନିଶା ନିଶା ରାତି’, ‘ସାଙ୍ଗାମାପା’ ଗୀତ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।
ଏହା ବି ପଢନ୍ତୁ- ଖଣ୍ଡଗିରି-ଉଦୟଗିରି ମହୋତ୍ସବ ମଜା ଉଠାଉଛନ୍ତି ପର୍ଯ୍ୟଟକ, ବାବାଙ୍କ ପାଖରେ ଜମୁଛି ଭିଡ
ଦର୍ଶକ ନିଜ ସିଟ ଉପରେ ଛିଡା ହୋଇ ବେଶ ନାଚିଥିଲେ । ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ‘ତୋତେ ପ୍ୟାର କରିବି କୁଞ୍ଚମ୍ କୁଞ୍ଚମ୍’ରେ ଦମଦାର ଠୁଙ୍କା ମାହୋଲକୁ ଆହୁରି ମତୁଆଲା କରିଥିଲା । ସେହିପରି କଣ୍ଠଶିଳ୍ପୀ ଶୁଭଲକ୍ଷ୍ମୀଙ୍କ ଦମଦାର ଗୀତ ପୁଣି ଦର୍ଶକଙ୍କୁ ନଚାଇଥିଲା । ହଇରେ ମୋର ରାଣୀ ଗୋରୀ ଆଉ ମଥାରେ ଓଢ଼ଣୀ ଦେବୀ ଗୀତାରେ ଶେଷ ହୋଇଥିଲା ଉଦଯାପନୀ ଉତ୍ସବ। ଶର୍ମିଷ୍ଠା ସରକାରଙ୍କ ନନଷ୍ଟଫ ଓଡ଼ିଆ ଗୀତ ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଉପସ୍ଥିତ ଦର୍ଶକ ଖୁବ ଉପଭୋଗ କରିଥିଲେ । ଉଦଯାପନୀ ଉତ୍ସବ ଏତେ ରୋମାଞ୍ଚକର ଓ ଦମଦାର ଥିଲା ଯେ ସମୟ ଜଣାପଡ଼ିନଥିଲା । କଳାକାରଙ୍କ ସହ ଦର୍ଶକ ନାଚୁଥିବା ବେଳେ ପୋଲିସ ବାଧ୍ୟ ହୋଇ ଆସି ବନ୍ଦ କରିଥିଲେ । ମୁନମୁନ ସିଂହ ପରିଚାଳନା କରିଥିଲେ।
ସେପଟେ ଆୟୋଜକ ଭୁବନେଶ୍ବର ସାଂସ୍କୃତିକ ପରିଷଦର ସଭାପତି ତଥା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଆ ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ଓଡ଼ିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ ବେଗ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଆୟୋଜକ ସଂସ୍ଥାର କର୍ମକର୍ତ୍ତାଙ୍କ ସହିତ କର୍ପୋରେଟର୍ କିରଣବାଳା ମାଝୀ, ଦୀପକ ମିଶ୍ର, ସଂଯୁକ୍ତା ସୁନ୍ଦରରାୟ, ସକିବା ମୁଶାରଫ୍, ଚାରୁଲତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଭୁବନେଶ୍ବର ସାଂସ୍କୃତିକ ପରିଷଦର ସମ୍ପାଦକ ଦୀପକ ମାହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମନୋଜ ବେହେରା, କଲ୍ୟାଣ ଅନୁଷ୍ଠାନର ସମ୍ପାଦକ ସୁରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଆଇଗିଣିଆ, ଜାଗମରା, ଘାଟିକିଆ, କୋଳଥିଆ, ବରମୁଣ୍ଡା, ଡୁମୁଡୁମା ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ସହଯୋଗ କରିଥିଲେ। ଗତ ଜାନୁଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଜାନୁଆରୀ ୩ ତାରିଖରେ ଶେଷ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର