ଓଡିଶା

odisha

ETV Bharat / state

କେନ୍ଦୁପତ୍ର ଶ୍ରମିକଙ୍କୁ ଧୋକାଦେଇ ଲଲିପପ ଧରାଇଦେଲେ ମୁଖ୍ୟମନ୍ତ୍ରୀ: ପ୍ରଦୀପ ପୁରୋହିତ - ପ୍ରଦୀପ ପୁରୋହିତଙ୍କ ସମାଲୋଚନା

ପ୍ରଦୀପ କହିଛନ୍ତି, ‘‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପଛରେ ଓଡ଼ିଶାର କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ୟ ଏକ ବଡ ଯୋଗଦାନ ଅଛି । ନବୀନ ବାବୁଙ୍କ ସରକାର ବିଭିନ୍ନ ସମୟରେ କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୁରଣ କଲେ ନାହିଁ । କେନ୍ଦୁପତ୍ର ଲାଭାଂଶରୁ ଶହେ ପ୍ରତିଶତ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ ମାତ୍ର ୨୫ % ବୋନସ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦୁପତ୍ର ଶ୍ରମିକଙ୍କୁ ଧୋକାଦେଇ ଲଲିପପ ଧରାଇଦେଲେ ମୁଖ୍ୟମନ୍ତ୍ରୀ : ପ୍ରଦୀପ ପୁରୋହିତ
କେନ୍ଦୁପତ୍ର ଶ୍ରମିକଙ୍କୁ ଧୋକାଦେଇ ଲଲିପପ ଧରାଇଦେଲେ ମୁଖ୍ୟମନ୍ତ୍ରୀ : ପ୍ରଦୀପ ପୁରୋହିତ

By

Published : Jul 20, 2023, 6:46 PM IST

Updated : Jul 20, 2023, 7:53 PM IST

କେନ୍ଦୁପତ୍ର ଶ୍ରମିକଙ୍କୁ ଧୋକାଦେଇ ଲଲିପପ ଧରାଇଦେଲେ ମୁଖ୍ୟମନ୍ତ୍ରୀ : ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ ହଜାର ବନ୍ଧେଇ ଶ୍ରମିକ ଓ ୨୨ ହଜାର ସିଜିନାଲ କର୍ମଚାରୀ । ପ୍ରାୟ ୯ ଲକ୍ଷ ଲୋକଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଧୋକା ଦେଲେ । ଲଲିପପ ଧରାଇ ଦେଲେ । ଏହା କହିଛନ୍ତି ପୂର୍ବତନ ବିଧାୟକ ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ପ୍ରଦୀପ ପୁରୋହିତ ।

ପ୍ରଦୀପ କହିଛନ୍ତି, ‘‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପଛରେ ଓଡ଼ିଶାର କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ୟ ଏକ ବଡ ଯୋଗଦାନ ଅଛି । ନବୀନ ବାବୁଙ୍କ ସରକାର ବିଭିନ୍ନ ସମୟରେ କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୁରଣ କଲେ ନାହିଁ । କେନ୍ଦୁପତ୍ର ଲାଭାଂଶରୁ ଶହେ ପ୍ରତିଶତ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ ମାତ୍ର ୨୫ % ବୋନସ ଘୋଷଣା କରିଛନ୍ତି । ଏହା ଦ୍ବାରା ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ଧୋକା ଦେଇଛନ୍ତି।’’

ଏହାବି ପଢନ୍ତୁ- ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ବୋନସ ଓ ପ୍ରୋତ୍ସାହନ ପାଇବେ କେନ୍ଦୁପତ୍ର ହିତାଧିକାରୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୩ ମସିହା ଜାନୁଆରୀ ୧୩ ତାରିଖରେ ରେଢାଖୋଲରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ବାରା ଆୟୋଜିତ ହୋଇଥିଲା ଏକ ବିଶାଳ ଶ୍ରମିକ ସମାବେଶ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଏହି ଘୋଷଣାର ୧୦ ବର୍ଷ ପରେ ମଧ୍ୟ ବିଜେଡି ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

କେନ୍ଦୁପତ୍ର ତୋଳାଳୀ ମାନଙ୍କ ପରିବାରକୁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଯୋଡିବା, ତୋଳାଳୀ ମାନଙ୍କୁ ଶିକ୍ଷାବୃତ୍ତି, ବିବାହ ସହାୟତା ପ୍ରଦାନ କରିବାକୁ ଯାହା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ତାହା ଭୁଲିଗଲେ । ଆଗକୁ ନିର୍ବାଚନ ସମୟରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏହା ମନେ ପଡିବ ବୋଲି ପ୍ରଦୀପ ପୁରୋହିତ ସମାଲୋଚନା କରିଛନ୍ତି । ୨୦୧୮ରୁ ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିବା ବେଲେ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ନାହିଁ । କିମ୍ବା ବନ୍ଧେଇ ଶ୍ରମିକ ମାନଙ୍କ ବଣ୍ତଲ ଦର ବୃଦ୍ଧି ମଧ୍ୟ ସରକାର କଲେ ନାହିଁ । କେବଳ ୨୫ % ବୋନସ ଘୋଷଣା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧୋକା ଓ ବିଶ୍ବାସ ଘାତକ କରିଛନ୍ତି ବୋଲି ସେ କହିଛନ୍ତି ।

ଗତକାଲି ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ୨୦୨୨ ଶସ୍ୟବର୍ଷର ପାଇଁ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା ହୋଇଛି । ଫଳରେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ଘୋଷିତ ବୋନସ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ପାଇବେ ।

ଏପଟେ କେନ୍ଦୁପତ୍ରରୁ ୧୮% ଜିଏସଟି ଛାଡ଼ ଦାବି ନକରି ରାଜନୀତି କରୁଛନ୍ତି ବିଜେପି ନେତା ବୋଲି କହିଛି ବିଜେଡି । ଗୋଟିଏ ବର୍ଷରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କୁ ୨୫୦ କୋଟିର ପ୍ରୋତ୍ସାହନ ରାଶି ଦେଇ ସାରିଲେଣି ରାଜ୍ୟ ସରକାର । କେନ୍ଦୁପତ୍ର ଉପରୁ ୧୮% ଜିଏସଟି ଛାଡ଼ ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରୁଛନ୍ତି । ଜିଏସଟି ଛାଡ଼ ପାଇଁ କାହିଁକି ଦାବି କରୁନାହାନ୍ତି ଓଡ଼ିଶା ବିଜେପି ନେତା । ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପି ନେତାଙ୍କର ଦରଦ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରିବା ଜାଣନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହା କହିଛନ୍ତି ବିଜୁ ଜନତା ଦଳର ନେତା ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ସଂଜିତ ମହାନ୍ତି ।

ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ । ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ ସାହସ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ଉପରେ ଏମିତି ବର୍ଷିଛି ବିଜେଡି ନେତା ସଂଜୀତ ମହାନ୍ତି ।

ସଂଜିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟ ବର୍ଷ ପାଇଁ ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ୩ଟି ପର୍ଯ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ଦେଇ ସାରିଲେଣି । ସେଥିରୁ ୫୬ କୋଟି ଟଙ୍କା ଗତକାଲି ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରିଛନ୍ତି । କୌଣସି ରାଜ୍ୟରେ କେବେ ବି କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ଏତେ ଟଙ୍କାର ପ୍ରୋତ୍ସାହନ ରାଶି କେହି ଦେଇ ନାହାନ୍ତି । ଏ କଥା ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ଏଥିସହ ସଂପୃକ୍ତ ସମସ୍ତ ହିତାଧିକାରୀ ଭଲ ଭାବେ ଜାଣିଛନ୍ତି । ମାତ୍ର ବିଡ଼ମ୍ବନା ହେଲା, ନିଜକୁ କେନ୍ଦୁପତ୍ର ତୋଳାଳି ସଂଘର ନେତା ବୋଲାଉଥିବା ବିଜେପି ନେତା ପ୍ରଦୀପ ପୁରୋହିତ କେବେବି ଏ ବିଷୟରେ ମୁହଁ ଖୋଲିବେନି । କାରଣ ସତ କହିଲେ ତାଙ୍କ ଛାତି ଫାଟିଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦୁପତ୍ର ଉପରୁ କେନ୍ଦ୍ର ସଂଗ୍ରହ କରୁଥିବା ୧୮ ପ୍ରତିଶତର ଜିଏସଟି ଛାଡ଼ କରିବାକୁ ଓଡିଶା ସରକାର ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଓଡ଼ିଶାର ବିଜେପି ନେତାମାନେ କେବେ କେନ୍ଦ୍ର ସରକାରଙ୍କ ଆଗରେ ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଏହି ଦାବିକୁ ଉଠାଇ ନାହାନ୍ତି । ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ରହିଛନ୍ତି । ପ୍ରଦୀପ ପୁରୋହିତ କହିପାରିବେ କି ଏସବୁ ରାଜ୍ୟରେ କେନ୍ଦୁପତ୍ର ତୋଳାଳିଙ୍କୁ ତାଙ୍କ ରାଜ୍ୟ ସରକାର କେତେ ଟଙ୍କାର ପ୍ରୋତ୍ସାହନ ରାଶି ଦେଉଛନ୍ତି ? ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ପ୍ରଦୀପ ପୁରୋହିତଙ୍କ ଭଳି ବ୍ୟକ୍ତିଙ୍କର କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କୌଣସି ଦରଦ କେବେ ନଥିଲା କି ଆଜି ମଧ୍ୟ ନାହିଁ । ସେ କେବଳ ସେମାନଙ୍କୁ ନେଇ ରାଜନୀତି କରିବା ଜାଣନ୍ତି । ଏହି କାରଣରୁ ଅଧିକାଂଶ କେନ୍ଦୁପତ୍ର ତୋଳାଳି ଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏବଂ ପଦ୍ମପୁରବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2023, 7:53 PM IST

ABOUT THE AUTHOR

...view details