ଭୁବନେଶ୍ବର: ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା । ଲିଙ୍ଗରାଜ ମନ୍ଦିର ସମ୍ମଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପକୁ ଆରମ୍ଭ କରିବାକୁ ଯାଇ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ୩ ଦିନ ଧରି କରାଯିବ । ଏଥିପାଇଁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନର ଆୟୋଜନ କରାଯାଇଛି ।
ଆସନ୍ତା ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ୨୮ ଗୋଟି କଳସରେ ପାଣି ତୋଳାଯାଇ ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବ । ଏନେଇ ସେବାୟତ କହିଛନ୍ତି, "ପଦ୍ମପାଖୁଡ଼ା ପଥରରେ ପ୍ରକଳ୍ପର ଶିଳାନ୍ୟାସ ହେବ। ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଯୋଗ ଦେବେ ରାଜ୍ୟ ବାହାରର ୨୩ ଜଣ ପଣ୍ଡିତ । କାଶ୍ମୀର ଓ ଋଷିକେଶରୁ ଏହି ପଣ୍ଡିତ ମାନେ ଆସି ଶିଳାନ୍ୟାସର ଏହି ମହାଯଜ୍ଞ ମହୋତ୍ସବରେ ସାମିଲ ହେବେ । ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରାଧନା କରି ଶିଳାନ୍ୟାସ କରିବାକୁ ଥିବା ଶୁଭ ପର୍ବରେ ଅନେକ ଦିବ୍ୟ ଚେତନଧାରୀ ପଣ୍ଡିତ ମାନଙ୍କର ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀରେ ପୁରା ପରିବେଶ ଭକ୍ତିମୟ ହୋଇଉଠିବ । ଜୁନ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଅର୍ଥାତ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଭବ୍ୟ ସମାରୋହରେ ପୁରୀର ଗଜପତି ମହାରାଜ ମଧ୍ୟ ଯୋଗ ଦେବେ ।" ତେଣୁ ତାଙ୍କର ଉପସ୍ଥିତିକୁ ନେଇ ଖୁସି ଥିବା କହିଛନ୍ତି ସେବାୟତ । ଅନ୍ୟପଟେ ତିନିଦିନ ପୂଜାକୁ ନେଇ ପୁରା ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ ଚାଲିଛି ।