ଭୁବନେଶ୍ବର:ଓଡ଼ିଶା ମାନବ ଅଧିକାର ଆୟୋଗ (OHRC)ରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି । OHRCର ନୂଆ ଅଧ୍ୟକ୍ଷ ଭାବେ ଯିଏ ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାଶଙ୍କ ଜୁନିଅର ଥିଲେ । ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କୁ ତାଙ୍କ ବିବେକ ବାଧା ଦେଇଛି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ OHRCର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ ରଘୁବୀର ଦାଶ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ଏହା ବି ପଢନ୍ତୁ- ଆଜିଠୁ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀ, ମହାକାଶର ଜ୍ଞାନ ନେବେ ଛାତ୍ରଛାତ୍ରୀ