ଭୁବନେଶ୍ବର: ବିବାଦ ପରେ ବନ୍ଦ ହେଲା ଭୁବନେଶ୍ବରରେ ଆୟୋଜିତ ଜୁନିୟର ମିସ୍ ଇଣ୍ଡିଆ ପ୍ରତିଯୋଗିତା । ନିରାଶ ହୋଇ ଫେରିଲେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଶହ ଶହ ପ୍ରତିଭାବାନ ପ୍ରତିଯୋଗୀ । ଶିଶୁର ଶୈଶବକୁ ପ୍ରତିଯୋଗିତା ମାଧ୍ୟମରେ ଶୋଷଣ କରାଯାଇଥିବା ଅଭିଯୋଗ କରି ବିରୋଧ କଲେ ସ୍ଵର୍ ମହିଳା ସଂଗଠନ । ୪ରୁ ୧୪ ବର୍ଷ ପିଲାଙ୍କୁ ନେଇ ସୁନ୍ଦରୀ ପ୍ରତିଯୋଗିତା ହୋଇପାରିବ ନାହିଁ ବୋଲି କହିଲା ସଂଗଠନ । ବିବାଦ ଉପୁଜିବାରୁ ପ୍ରତିଯୋଗିତାକୁ ବନ୍ଦ କଲା ଖାରବେଳ ନଗର ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ବିନା ଅନୁମତିରେ ସତ୍ୟନଗର ସ୍ଥିତ ହୋମ ଟାଉନରେ ଜୁନିୟର ମିସ୍ ଇଣ୍ଡିଆ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ପ୍ରତିଯୋଗିତା ପାଇଁ ବେଶ ଉତ୍ସାହିତ ଥିଲେ ଅଂଶ ଗ୍ରହଣ କରିଥିବା ପିଲାମାନେ । ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହି ଅପେକ୍ଷା କରିଥିଲେ ନିଜ ନିଜର ପ୍ରତିଭା ଦେଖାଇବା ପାଇଁ । ହେଲେ ଠିକ ସମୟରେ ହିଁ ଏହାକୁ ବିରୋଧ କରି ହୋମ ଟାଉନରେ ପହଞ୍ଚି ଯାଇଥିଲା ସ୍ଵର୍ ମହିଳା ସଂଗଠନ । ଏହାପରେ ସୁନ୍ଦରୀ ପ୍ରତିଯୋଗିତା ବନ୍ଦ କରିବା ପାଇଁ ଅଡି ବସିଥିଲା । ଶେଷରେ ଏନେଇ ଖବର ପାଇଁ ଘଟଣାସ୍ଥଳରେ ଖାରବେଳ ନଗର ପୋଲିସ ସତ୍ୟନଗର ସ୍ଥିତ ହୋମ ଟାଉନରେ ଚାଲିଥିବା ଜୁନିୟର ମିସ୍ ଇଣ୍ଡିଆ ପ୍ରତିଯୋଗିତାକୁ ବନ୍ଦ କରିଥିଲା । ଫଳରେ ନିରାଶ ହୋଇ ଫେରିଥିଲେ ପ୍ରତିଯୋଗୀ ।
ସ୍ଵର୍ ମହିଳା ସଂଗଠନର କହିବା ଅନୁଯାୟୀ,'' ସମାଜରେ ଛୋଟ ଛୋଟ ପିଲା ମାନେ ବେଶ ସରଳ ଆଉ ସୁନ୍ଦର । ସେମାନଙ୍କ ସରଳତାକୁ ହିଁ ସୁନ୍ଦର ବୋଲି ବୁଝାଯାଏ । କିନ୍ତୁ ପିଲାଙ୍କୁ ଅଙ୍ଗ ପ୍ରଦର୍ଶନ ଓ ଆଧୁନିକୀକରଣ ନାଁରେ ଭୁଲ ଶିକ୍ଷା ଦିଆଯାଉଛି । ଏହାକୁ ନେଇ ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି । କାରଣ ୪ ରୁ ୧୪ ପିଲାଙ୍କର ବର୍ତ୍ତମାନ ପାଠ ପଢିବା ସମୟ । ତେଣୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ନିଜର ଭବିଷ୍ୟତକୁ କଳୁଷିତ କରୁଛି । ଏହାକୁ ନେଇ ସେମାନେ ବିରୋଧ କରିଛନ୍ତି, ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ । କେବଳ ଏଠି ନୁହେଁ ବରଂ ଟିଭି, ରିଆଲିଟି ଶୋ ମାନଙ୍କରେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଛି । ଏଥିପ୍ରତି ଅଭିଵାବକ ଓ ସରକାର ଧ୍ୟାନ ଦେବାର ଆବଶ୍ୟକ ବୋଲି କହଛନ୍ତି ସଂଗଠନ ମୁଖ୍ୟ'' ।