ଭୁବନେଶ୍ବର: ଓଡ଼ିଶାର ଯୁବପିଢ଼ିମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏହାର ଏକ ଅଂଶବିଶେଷ । ଆଜି(ଶୁକ୍ରବାର) ଉତ୍କଳ ବିଶ୍ବବିଦ୍ୟାଳୟରେ ଏହି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହା ଅନ୍ତର୍ଗତ ବିଶ୍ବବିଦ୍ୟାଳୟରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ଯାଏଁ ଚାଲିବ ।
ଏହା ବ୍ୟତୀତ ଉତ୍କଳ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା, ଚିତ୍ରକଳା, ଯୋଗ, ସଡ଼କ ନିରାପତ୍ତା କ୍ଷୁଦ୍ର ସଚେତନତା ନାଟକ, ନିଶା ନିବାରଣ ସଚେତନତା ଅଭିଯାନ, ଫୁଟବଲ, ଭଲିବଲ, ଚେସ୍, ବ୍ୟାଡମିଣ୍ଟନ, କ୍ୟାରମ, ଝୋଟି, ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ସହିତ ୧୦୦, ୨୦୦ ଓ ୪୦୦ ମିଟର ପ୍ରତିଯୋଗିତା ସାଙ୍ଗକୁ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ ଥ୍ରୋ, ଜାଭେଲିନ ଥ୍ରୋ, ଡିସକସ ଥ୍ରୋ ଓ ଟଗ ୱାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିବେ । ଏହାଦ୍ବାରା ସେମାନଙ୍କ ମଧ୍ୟରେ ଥିବା ଅନେକ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କୋରାପୁଟ ସରକାରୀ କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ