ଭୁବନେଶ୍ବର: ''ଉପନିର୍ବାଚନ ସହିତ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ୩୦ଟି ଜିଲ୍ଲାରେ ପରାଜୟ ବରଣ କରିଛି ବିଜେପି । ଉପନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନରେ ହାରି ବିଜେପି କ୍ୟାଡର ହତାଶ ହୋଇପଡିଛନ୍ତି । ହତାଶ ଏବଂ ନିରାଶ ହୋଇପଡିଥିବା ଓଡ଼ିଶାର ବିଜେପି ନେତା ଏବଂ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଲକ୍ଷ୍ୟ । କଳାହାଣ୍ଡିରେ ସେ ଯେଉଁ ଭାଷଣ ଦେଇଛନ୍ତି ଏହା ହେଉଛି ତାହାର ମୁଖ୍ୟ ଲକ୍ଷ୍ୟ । ସେହିପରି BSKYରେ ଦିଆଯାଉଥିବା ସହାୟତା ଆୟୁଷ୍ମାନ ଭାରତର ଦୁଇ ଗୁଣ । ଲୋକଙ୍କ ସେବା ପାଇଁ ୨୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାବାସୀଙ୍କ ଆଶୀର୍ବାଦ ମିଳୁଛି ।'' କଳାହାଣ୍ଡିରେ ନଡ୍ଡାଙ୍କ ଟାର୍ଗେଟ ପରେ ଏପରି ଜବାବ ଦେଇଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ ଯୋଗାଇବା କେବେ ଆରମ୍ଭ କରିବେ । ଯାହାକୁ ସେମାନେ ବନ୍ଦ କରିଛନ୍ତି । ଯଦି ସେ ସ୍ପଷ୍ଟ କରିଥାନ୍ତେ ଯେ କେନ୍ଦ୍ରରେ ବିଜେପି ସରକାର କେବେ ଆରମ୍ଭ କରିବେ, ଏହା ଭଲ ହୋଇଥାନ୍ତା । ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଥିଲେ । ଦିଲ୍ଲୀରେ ଓଡିଶା ବିଜେପି ନେତାଙ୍କ ଷଡଯନ୍ତ୍ର ଯୋଗୁଁ ଓଡିଶାକୁ ମିଳିବାକୁ ଥିବା ସାତ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଘରକୁ ଅଟକାଇ ଦିଆଯାଇଥିଲା । ଯଦି ସିଏ ଏ ବାବଦରେ ସ୍ପଷ୍ଟ କରିଥାନ୍ତେ ଭଲ ହୋଇଥାନ୍ତା ।