ଭୁବନେଶ୍ବର: ବାଣୀବିହାରରେ ଛାତ୍ର ଉତ୍ତେଜନା । ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ହଲ ପାଲଟିଲା ରଣକ୍ଷେତ୍ର । JNUର ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଆକ୍ରମଣ । ଆଲୋଚନା ଚକ୍ରରେ ଦେଶ ବିରୋଧୀ ପ୍ରସଙ୍ଗ ଆଲୋଚନା ହେଉଥିବା ଅଭିଯୋଗ କରି ଆକ୍ରମଣ କଲେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟ । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଉଭୟ ଗୋଷ୍ଠୀର ଦୁଇରୁ ଅଧିକ ଆହତ ହୋଇଥିବା ସୂଚନା । ପରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ରବିବାର ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଡିଟୋରିୟମ ଠାରେ 'ସମ୍ବିଧାନ ଏବଂ ଶିକ୍ଷା' ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା । JNUର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟମାନେ ଆସି ଏହାକୁ ବିରୋଧ କରିଥିଲେ । ପ୍ରଫେସର ସୁରଜିତ ମଜୁମଦାର ତାଙ୍କ ବକ୍ତବ୍ୟରେ ଦେଶ ବିରୋଧି ମନ୍ତବ୍ୟ କହିଥିବା ଏହି ଛାତ୍ର ସଂଗଠନର ସଦସ୍ୟମାନେ ଅଭିଯୋଗ କରିଥିଲେ । ପ୍ରଥମେ କଥା କଟାକଟି ପରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଜେଏନ୍ୟୁ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ କରି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ର ସଂଗଠନ ପ୍ରବଳ ହଙ୍ଗାମା କରିଥିଲେ । ଏପରିକି ଠେଲାପେଲା ଧକା ମାରିବା ଭଳି ପରିସ୍ଥିତି ଉପୁଜିଥିଲା ।