ଭୁବନେଶ୍ବର:ଝାରସୁଗୁଡ଼ା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ । ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି । ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି ।
ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ ସୁପରିଚାଳନା କରିବାକୁ କୁହାଯାଇଛି । ସେହିପରି ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହାସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ କରିବା ଆମର ପ୍ରାଥମିକତା କହିଛନ୍ତି ସିଇଓ ନୀକୁଞ୍ଜ ବିହାରୀ ଧଳ । ପ୍ରତ୍ୟେକ ଭୋଟ କେନ୍ଦ୍ରରେ ସାଧାରଣ ଆବଶ୍ୟକତାକୁ ନେଇ ବ୍ୟବସ୍ଥା କରାଯିବ । ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଟଏଲେଟ ବ୍ୟବସ୍ଥା କରାଯିବ । ଝାରସୁଗୁଡ଼ା ନିର୍ବାଚନୀ ମଣ୍ଡଳୀରେ 206ଟି ସ୍ଥାନରେ 253ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି । 2023 ଜାନୁଆରୀ ଇଲେକ୍ଟ୍ରରୋଲ ଅନୁସାରେ ଝାରସୁଗୁଡାରେ ମୋଟ 2 ଲକ୍ଷ 21 ହଜାର 70 ଜଣ ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା 1 ଲକ୍ଷ 10 ହଜାର 320 ହୋଇଥିବାବେଳେ ମହିଳା ଭୋଟର ହେଉଛନ୍ତି 1 ଲକ୍ଷ 10 ହଜାର 687 । 80 ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ଭୋଟରଙ୍କ ସଂଖ୍ୟା 4074 । ନିର୍ବାଚନ ମଣ୍ଡଳୀରେ 2526 ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ 1449 ଜଣ ପୁରୁଷ ଓ 1078 ଜଣ ମହିଳା ଅଛନ୍ତି ।
ଝାରସୁଗୁଡା ଉପନିର୍ବାଚନ ନେଇ ଏପ୍ରିଲ 13ରେ ପ୍ରକାଶ ପାଇବ ଗଜେଟ ନୋଟିଫିକେସନ । ଏପ୍ରିଲ 20ରେ ନାମାଙ୍କନ ଶେଷ ଦିନ ହୋଇଥିବାବେଳେ ପ୍ରାର୍ଥୀପତ୍ର ଯାଞ୍ଚ 21ରେ ହେବ । 24ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମେ 10ରେ ଭୋଟିଂ ହୋଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ମେ 15 ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ବୈଠକରେ ରାଜ୍ୟ ପୋଲିସ ମୁଖ୍ୟାଳୟର ଆଇଜି ଯତୀନ୍ଦ୍ରନାଥ କୋଏଲ, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ କୁମାର, ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୀନୟ ଶୀଲ ଗୌତମ, ଅବକାରୀ ବିଭାଗର ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପଳତା ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର