ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସ୍ବର୍ଗତ ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅଙ୍କୁ ପ୍ରାର୍ଥୀ କରିଛି ଦଳ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଝାରସୁଗୁଡା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଗତକାଲି(ଶନିବାର) ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ନେଇଛନ୍ତି ଦୀପାଳି । ଦୀପାଳିଙ୍କ ସହ ତାଙ୍କ ଭାଇ ବିଶାଳ ଦାସ ଓ ମା' ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଜୀବନର ନୂତନ ଅଧ୍ୟାୟ ଆରମ୍ଭ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛି ବୋଲି କହିଛନ୍ତି ଦୀପାଳି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସ୍ୱର୍ଗତ ନେତା ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ଶୁକ୍ରବାର ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ଦୀପାଳି ଦାସ । ମା' ଓ ଭାଇଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି । ବେଶ କିଛି ସମୟ ଧରି ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ଦୀପାଳି ଓ ତାଙ୍କ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ଦୀପାଳି କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ମୋ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ତାଙ୍କର ଆଶୀର୍ବାଦ ଆମ ସହିତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ବାପା ଝାରସୁଗୁଡା ବାସୀଙ୍କ ପାଇଁ କାମ କରୁଥିଲେ । ଆଶା ରହିଛି କି ମୁଁ ବି ସେମିତି କାମ କରିବି ।"