ଭୁବନେଶ୍ବର: ଝରସୁଗୁଡା ଉପନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଛି । ପ୍ରଚାର ସମୟରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ବିଧାୟିକା କୁସୁମ ଟେଟେ । ଏହି ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ, ସାହି କିମ୍ବା ୱାର୍ଡ଼କୁ ବିଜେପି ପ୍ରାର୍ଥୀ ପ୍ରଚାରରେ ଗଲାବେଳେ ଲୋକଙ୍କ ସମର୍ଥନ ପାଉନାହିଁ । ତେଣୁ ଏବେ ଭିନ୍ନ ରଣନୀତି ଆପଣାଇଛି । ହତାଶ ଓ ଉତ୍କ୍ଷିପ୍ତ ହୋଇ ବିଜେପି ନେତାମାନେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ଏହା ସହ ଭୋଟରଙ୍କୁ ଧମକଚମକ ଦେବା ଆରମ୍ଭ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନିକ୍ତିମାଲ ଅଞ୍ଚଳରେ ବିଜେପିର ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଏନେଇ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, "ଗତକାଲି ସନ୍ଧ୍ୟାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିଲେ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ବିଧାୟକ କୁସୁମ ଟେଟେ ଓ ତାଙ୍କ ସମର୍ଥକମାନେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଛନ୍ତି । ଏପରିକି ଟଙ୍କଧର ତ୍ରିପାଠୀ ଓ କୁସୁମ ଟେଟେ ଦିଲ୍ଲୀପ ପ୍ରଧାନ ନାମକ ଜଣେ ବିଜେଡି କର୍ମୀଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଦେବା ସହ ତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ବିଜେପି ନେତା ଓ କର୍ମୀଙ୍କ ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ଗାଁ ଲୋକମାନେ ଏକଜୁଟ ହେବାରୁ ସେମାନେ ସେଠାରୁ ପଳାଇ ଆସିଥିଲେ । ମାତ୍ର ସେମାନଙ୍କ ଇସାରାରେ ଏହାର କିଛି ସମୟ ପରେ ପୁନର୍ବାର ୪୦/୫୦ ଜଣ ବିଜେପି କର୍ମୀମାନେ ଗାଁରେ ପହଞ୍ଚି ବିଜେଡି ସମର୍ଥକମାନଙ୍କୁ ଧମକଚମକ ଦେବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ । ଟେକା ପଥର ଫିଙ୍ଗିଥିଲେ । ବିଜେଡି କର୍ମୀମାନେ ପ୍ରାଣ ଭୟରେ ସେଠାରୁ ଦୌଡ଼ି ପଳାଇଯିବା ପରେ ରକ୍ତମୁଖା ବିଜେପି କର୍ମୀମାନେ ବିଜେଡିର ପତାକା ଓ ପୋଷ୍ଟର ଆଦି ଚିରି ପକାଇଥିଲେ । ଆଗକୁ କେହି ବିଜେଡି ପାଇଁ ପ୍ରଚାର କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହା ଫଳରେ କାଲିଠାରୁ ନିକ୍ତିମାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି ।"