ଓଡିଶା

odisha

ETV Bharat / state

ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଶାନ୍ତିପ୍ରିୟ ଓଡିଶାକୁ ନିନ୍ଦିତ କରନାହିଁ : BJD - ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ବିଜେଡି ସାଂସଦ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଠାରେ କାଁଭାଁ ଅପରାଧ ହୁଏ ସତ । ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏନାହିଁ ବୋଲି ସସ୍ମିତ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 30, 2023, 8:40 PM IST

ଭୁବନେଶ୍ବର: 'ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ କାଁଭାଁ ଅପରାଧ ହୁଏ ସତ । ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏନାହିଁ । ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି । ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶା ବାସୀ ଏବଂ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ ।' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ଜବାବ ଦେଇଛନ୍ତି ସସ୍ମିତ । ଟୁଇଟ କରି ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ରଖିଛନ୍ତି ବିଜେଡି ସାଂସଦ ।

ସସ୍ମିତ କହିଛନ୍ତି, "ଭାଇ, ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଏହାସତ୍ତ୍ବେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝି ପାରିଲେ ନାହିଁ । ତାହା ମୋତେ ବିସ୍ମିତ କରୁଛି । ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସ୍‌ଟି ଚଢ଼ାଉ ଚାଲିଥିବାବେଳେ ଶତାଧିକ ବିଜେପି କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ । ଜିଏସଟି ଅଧିକାରୀଙ୍କ ହାତରୁ କାଗଜପତ୍ର ଛଡ଼ାଇ ନେଇଥିଲେ । କାରଣ ଜିଏସଟି ଫାଙ୍କିଥିବା ଜଣେ ଅସାଧୁ ବ୍ୟବସାୟୀଙ୍କୁ ସେମାନେ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ।"

ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁଁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନଏଚ-୫୫ର ପ୍ରଶସ୍ତିକରଣ କାର୍ଯ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା । ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖାଲି ସେତିକି ନୁହେଁ, ଯେତେବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାରୁ ଲୋକଙ୍କ ବଳକା ଧାନ କିଣା ହୋଇ ପାରୁନଥିଲା । ହଜାରହଜାର ଚାଷୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ସେତେବେଳେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଏକ ଅପରାଧ ଘଟାଇଲେ, ପୋଲିସ ଏହାର ତଦନ୍ତ କରି ଅପରାଧୀକୁ କାଠଗଡ଼ା ନେଇଥାଏ । ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ସସ୍ମିତ କେନ୍ଦ୍ରମନ୍ତ୍ରୀଙ୍କୁ ଏନେଇ ଆହ୍ବାନ ଦେଇଛନ୍ତି । ୨୦୨୧ ମସିହା ଏନସିଆରବି ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ହରିଆନା ଭଳି ବିଜେପି ଶାସିତ ରାଜ୍ୟରେ ମହିଳାଙ୍କୁ ବଳାତ୍କାର ମାମଲା, ଓଡ଼ିଶା ତୁଳନାରେ କେତେ ଅଧିକ ଅଛି ତାହା ଆପଣ ଜାଣନ୍ତି ତ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ହତ୍ୟା ମାମଲା‌ ମଧ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ସସ୍ମିତ କେନ୍ଦ୍ରମନ୍ତ୍ରୀଙ୍କୁ ଚେତାଇ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details