ଓଡିଶା

odisha

ETV Bharat / state

ପରିକ୍ରମା ପ୍ରକଳ୍ପ: ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ

Srimandira Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କୁ ମିଳିଲା ନିମନ୍ତ୍ରଣ । ସଂକୀର୍ତ୍ତନ ହୁଳହୁଳି ଓ ପୁଷ୍ପବୃଷ୍ଟି ସହ ମନ୍ଦିର ପ୍ରଶାସନ ଓ ସେବାୟତମାନେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ,

By ETV Bharat Odisha Team

Published : Dec 26, 2023, 6:43 PM IST

ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ
ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ

ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ । ବିଭିନ୍ନ ମନ୍ଦିରକୁ ଆଜିଠାରୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦିଆଯାଇଛି ପ୍ରଥମ ନିମନ୍ତ୍ରଣ । ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ । ଏହି ଶୁଭ ଉଦ୍‌ଘାଟନରେ ଭାରତ ବର୍ଷର ୪ ଧାମ ୧୨ ଜ୍ୟୋତିର୍ଲିଙ୍ଗ ସମେତ ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଯିବ । ଆଜିଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି ।

ପ୍ରଥମ କରି ଶ୍ରୀକ୍ଷେତ୍ରରୁ ସେବାୟତ ତଥା ପ୍ରାଶାସନିକ ଅଧିକାରୀଙ୍କୁ ନେଇ ୩୦ଟି ଦଳ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ଝୋଟି ଚିତା ସହ ଫୁଲ ଏବଂ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ସଂକୀର୍ତ୍ତନ ହୁଳହୁଳି ଓ ପୁଷ୍ପବୃଷ୍ଟି ସହ ମନ୍ଦିର ପ୍ରଶାସନ ଓ ସେବାୟତମାନେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ସେବାୟତ ସହ ପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଲିଙ୍ଗରାଜଙ୍କ ଦର୍ଶନ ସହ ଫୁଲ ବେଲପତ୍ର ଚଢ଼ାଇଥିଲେ ସେବାୟତ । ମହାପ୍ରଭୁଙ୍କ ଏହି ଭବ୍ୟ ଉଦ୍‌ଘାଟନ ଉତ୍ସବରେ ଯୋଗଦାନ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ଲିଙ୍ଗରାଜ ଗସ୍ତ ଐତିହାସିକ ବୋଲି ବିବେଚନା କରାଯାଇଥିବାବେଳେ ହରିହରଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛନ୍ତି ବୋଲି କହିଛନ୍ତି ସେବାୟତ ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ନିମନ୍ତ୍ରଣ ଯାତ୍ରା; ପ୍ରଥମେ ପ୍ରଭୁ ଲିଙ୍ଗରାଜ ନିମନ୍ତ୍ରିତ

ପରମ୍ପରା ଅନୁଯାୟୀ ନିମନ୍ତ୍ରଣ ପତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଲାଗି ବସ୍ତ୍ର, ତୁଳସୀ, ପାନ, ଗୁଆ ଆଦି ପ୍ରଦାନ କରାଯାଇଛି । ଏଭଳି ଉତ୍ସବ ପାଇଁ ଆଜି ଅଦିନରେ ହରିହର ଭେଟ ହେବାର ସୌଭାଗ୍ୟ ମିଳିଛି ବୋଲି ସେବାୟତମାନେ କହିଛନ୍ତି । ଏଥିସହ ପୁରୀରୁ ଆସିଥିବା ସମସ୍ତ ସେବାୟତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଥିବାରୁ ଏହାକୁ ନିଜର ସୌଭାଗ୍ୟ ମାନିବା ସହ ପରମ ଆନନ୍ଦ ଲାଭ କରିଥିବା କହିଛନ୍ତି । ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ଇତିହାସ ସାକ୍ଷୀ ଥିଲା, ଚୋଡ଼ଗଙ୍ଗ ଦେବ ଶ୍ରୀମନ୍ଦିର ନିର୍ମାଣ କରିଥିଲେ । ବର୍ତ୍ତମାନ ଲୋକେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠାତା ଭାବେ ନବୀନ ପଟ୍ଟନାୟକଙ୍କୁ ଚିହ୍ନିବେ । ଏହା ଓଡ଼ିଶା ବାସୀଙ୍କ ପାଇଁ ଗର୍ବର ବିଷୟ । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ।" ରାଜ୍ୟ ଭିତରେ ୧୩ଟି ଦେବ ସ୍ଥାନ ସହ ରାଜ୍ୟ ବାହାରର ଦେବ ସ୍ଥାନକୁ ଏହି ନିମନ୍ତ୍ରଣ ପତ୍ର ଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ପାଣ୍ଡିଆନ

ଅନ୍ୟପଟେ ଲିଙ୍ଗରାଜଙ୍କ ବଡୁ ସେବାୟତ କହିଛନ୍ତି, "ମହାପ୍ରଭୁ ଜଗନାଥଙ୍କ ଠାରୁ ଯେଉଁ ନିମନ୍ତ୍ରଣ ଆସିଥିଲା, ଆମେ ତାକୁ ଗ୍ରହଣ କଲୁ । ଲିଙ୍ଗରାଜଙ୍କ ନିମନ୍ତ୍ରଣ ପତ୍ର ସହ ଜଳଲାଗି କଲେ ଜଗନ୍ନାଥଙ୍କ ସେବାୟତ । ୧୨୦ ଜଣ ସେବାୟତଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ନିମନ୍ତ୍ରଣ ପତ୍ର ନେଇ ଆସିଥିଲେ । ସମସ୍ତେ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଦେବ ନିମନ୍ତ୍ରଣ ପରେ ହରିହର ଭେଟ ହୋଇଛି । ନିମନ୍ତ୍ରଣର ପ୍ରଥମ ବା ଶୁଭ ଲିଙ୍ଗରାଜଙ୍କ ଠାରୁ ହୋଇଛି । ଏଥିପାଇଁ ଆମେ ବହୁତ ଖୁସି ।" ନିଶ୍ଚୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନରେ ଆମେ ସାମିଲ ହେବୁ ବୋଲି କହିଛନ୍ତି କମଳାକାନ୍ତ ବଡୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details