ଭୁବନେଶ୍ବର: ଆସନ୍ତା ଜାନୁଆରୀ 17 ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ପୁରୀରୁ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ । ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଇଛନ୍ତି । ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପରେ ନବୀନ ନିବାସରେ ପହଞ୍ଚିଥିଲେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ।
ଲିଙ୍ଗରାଜଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନିମନ୍ତ୍ରଣ: ଜାନୁଆରୀ 17 ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ବର୍ଣ୍ଣିମ ଫର୍ଦ୍ଦ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଧାର୍ମିକ କାର୍ଯ୍ୟରେ ସାରା ଦେଶକୁ ସାମିଲ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦେଶର ପ୍ରମୁଖ ଦେବାଦେବୀ ପୀଠ, ଚାରିଧାମର ପୀଠାଧୀଶ୍ବର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି । ଆଜି ସକାଳୁ ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ନେଇ ଏକ ଟିମ୍ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଲିଙ୍ଗରାଜଙ୍କୁ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ....ପରିକ୍ରମା ପ୍ରକଳ୍ପ: ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ
ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ସେବାୟତ ପ୍ରତିନିଧି ଟିମ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚାଉଳ ଗୋଟିଏ ଗୁଆ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ସମସ୍ତେ ଚାଉଳ ଓ ଗୁଆ ଦିଅନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ଦଇତାପତି ଆହ୍ବାନ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିରର ମୁଖ୍ୟ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ । ଆଗାମୀ 17 ତାରିଖ ପରିକ୍ରମା ପ୍ରକଳ୍ପରେ ସେ ଉପସ୍ଥିତ ରହିବେ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଇଛନ୍ତି । ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ, ଗୋଟେ ଗୁଆ ପଠାନ୍ତୁ । ପରିକ୍ରମା ପ୍ରକଳ୍ପରେ ସାମିଲ ହୁଅନ୍ତୁ । ଜଗନ୍ନାଥଙ୍କ ଇତିହାସରେ ନବୀନ ପଟ୍ଟନାୟକଙ୍କ ନାଁ ଶହେ ବର୍ଷ ପରେ ବି ମନେ ରଖିବେ ଲୋକେ । ନବୀନଙ୍କ ଦୀର୍ଘ ଜୀବନ କାମନା କରି ଆମେ ଆଶୀର୍ବାଦ କରିଛୁ ।"