ଭୁବନେଶ୍ବର:ଓଡି଼ଶାରେ ଚାଲିଛି ରେଡ୍ ରାଜନୀତି । ରାଜ୍ୟରେ ଏବେ ସକ୍ରିୟ ରହିଛି ଷ୍ଟେଟ ଜିଏସଟି ଏବଂ ଆୟକର ବିଭାଗ । ରାଜ୍ୟବ୍ୟାପୀ ଚାଲିଛି ଘନ ଘନ IT ରେଡ୍ । ଲଗାତାର ତିନି ଦିନ ହେଲାଣି ଚାରିଆଡେ ଛାପା ମାରୁଛି ଆୟକର ବିଭାଗ । ମୁଖ୍ୟତଃ ଆଇଟି ଟାର୍ଗେଟରେ ରହିଛନ୍ତି ନେତା । ନେତାଙ୍କ ସହ ଲିଙ୍କ ଥିବା ପଥର ଖାଦାନ ବ୍ୟବସାୟୀ, କ୍ରସର୍ ମାଲିକଙ୍କ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ତିନି ଦିନ ହେଲା ରେଡ୍ ଚାଲିଛି । ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ବି ହୋଇଛି IT ରେଡ୍ । ଓଡିଶାର ଏକ ପ୍ରମୁଖ ରାଜନୈତିକ ଦଳର ସକ୍ରିୟ ସଭ୍ୟ ସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କ ଘର, ଅଫିସ୍ ଏବେ ଆୟକର ବିଭାଗ ସ୍କାନରରେ । ସେପଟେ ବିଜେପିକୁ ସମର୍ଥନ କରୁଥିବା ଅନୁଗୋଳର କିଛି ବ୍ୟବସାୟୀଙ୍କ ଉପରେ ଷ୍ଟେଟ ଜିଏସଟି ରେଡ୍ କରିଥିବାର ଜଣାପଡିଛି । ଯାହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି ।
ନୟାଗଡ଼ ଭାପୁର ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ନେତା ବେଣୁଧର ପ୍ରଧାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଏସ୍.ଏସ୍. କନଷ୍ଟ୍ରକସନ୍ ସହ ତାଙ୍କ ଘର ଓ କ୍ରସର୍ ୟୁନିଟ୍ ଉପରେ ଚଢ଼ାଉ ହୋଇଛି । ବାଲେଶ୍ୱର ସୋର ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ନେତା ଭ୍ରମରବର ନାୟକ ଖାଦାନରୁ ପଥର ଖୋଳି ବ୍ୟବସାୟ କରନ୍ତି । ତାଙ୍କର କଲ୍ୟାଣ ମଣ୍ଡପ, ପେଟ୍ରୋଲ ପମ୍ପ ଓ ହୋଟେଲରେ ଛାପା ମାରିଛି ଆଇଟି ବିଭାଗ । ଏପଟେ ଗଞ୍ଜାମ ଜିଲ୍ଲାର ଜଣାଶୁଣା ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ବ୍ରହ୍ମପୁରସ୍ଥିତ ଘର, ଅଫିସ୍ ଓ ପୁରୁଷୋତ୍ତମପୁର କ୍ରସର୍ ୟୁନିଟ୍ ଉପରେ ଏକାସଙ୍ଗେ ହୋଇଛି ଆଇଟି ରେଡ୍ । କୃପାସିନ୍ଧୁ ବିଭିନ୍ନ ସମୟରେ ବିଜେଡି ସମେତ ଅନ୍ୟ ଦଳକୁ ମଧ୍ୟ ଆର୍ଥିକ ସହଯୋଗ କରୁଥିବା ଅଭିଯୋଗ ରହିଛି ।
କନ୍ଧମାଳ ଦାରିଙ୍ଗବାଡ଼ିରେ ଆଇଟି ଅଧିକାରୀ ଡେରା ପକାଇ ତ୍ରିଶକ୍ତି କନଷ୍ଟ୍ରକସନ୍ ନାମକ ଏକ ଠିକା କମ୍ପାନୀ ଉପରେ ଚଢଉ କରିଛନ୍ତି । ଏଣେ ସମ୍ବଲପୁରର ଜଣେ ପଥର କ୍ରସର୍ ମାଲିକ ଓ ତାଙ୍କର ବିଜେନେସ୍ ପାର୍ଟନରଙ୍କ ଉପରେ ବି ହୋଇଛି ରେଡ୍ । ନୟାଗଡ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ବାଲିଗୁଡ଼ାରେ ଛାପା ମାରିଛି ଆଇଟି । ଅପରପକ୍ଷେ ମଙ୍ଗଳବାର ଠାରୁ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ଅନୁଗୋଳରେ କିଛି ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ ରେଡ୍ କରିଛି ।