ଖୋର୍ଦ୍ଧା: ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲରଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ମଣ୍ଡିରେ କଟନୀ ଛଟନୀ ଯୋଗୁଁ ହଇରାଣ ହେଉଛନ୍ତି ଚାଷୀ । ଏନେଇ ଜିଲ୍ଲାର ଜଟଣୀ ବ୍ଲକ ଛଣଘର ସୋସାଇଟି ଅଧୀନ କନ୍ତିଆ ପଞ୍ଚାୟତ ଧାନ ମଣ୍ଡିରେ ଧାନକୁ ଜଗି ବସିଛନ୍ତି ଚାଷୀ ।
ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଛଣଘର ସୋସାଇଟି ଅଧୀନ କନ୍ତିଆ ପଞ୍ଚାୟତରେ ଗତକାଲି ୩୦ରୁ ଅଧିକ ଚାଷୀ ପ୍ରାୟ ୫୦୦ କ୍ବିଣ୍ଟାଲରୁ ଅଧିକ ଧାନ ଆଣି ମଣ୍ଡିରେ ପହଞ୍ଚାଇ ଥିଲେ । ମିଲର ପ୍ରତି ବସ୍ତା ପିଛା ୬ କେଜି ଲେଖାଏଁ କାଟି ଧାନ ନେବା ପାଇଁ କହିବାରୁ ଏଥିରେ ଚାଷୀମାନେ ରାଜି ହୋଇନଥିଲେ । ଏନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ମିଲର ଏବଂ ଚାଷୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସ୍ଥାନୀୟ ସରପଞ୍ଚ ମଣ୍ଡିରେ ପହଞ୍ଚି ଏତେ ପରିମାଣରେ ଧାନ ନ କାଟି ବରଂ ଅଳ୍ପ କିଛି କାଟିବା ସହ ଧାନ ଉଠାଇବାକୁ ମିଲରକୁ କହିଥିଲେ । କିନ୍ତୁ ମିଲର ନିଜ ଜିଦରେ ଅଟଳ ରହିବା ସହ କିଛି ନ ଶୁଣି ମଣ୍ଡି ଛାଡି ପଳାଇ ଯାଇଥିଲେ । ଯାହାକୁ ନେଇ ଚାଷୀମାନେ ପ୍ରବଳ ଶୀତରେ ରାତିସାରା ସେଠାରେ ଧାନ ବସ୍ତାକୁ ଜଗି ରହିଥିଲେ ।
ଏହା ମଧ୍ୟ ପଢନ୍ତୁ - ମଣ୍ଡିରେ ପଡି ରହିଛି ଧାନ ବସ୍ତା, ଶୀତ କାକରରେ ଜଗିଛନ୍ତି ଚାଷୀ