ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା ପ୍ରବଣତା । ଯୁବପିଢ଼ିଙ୍କ ମଧ୍ୟରେ ଦେଖା ଦେଉଥିବା ମାନସିକ ଚାର ଏବେ ଧୀରେଧୀରେ ଆତ୍ମହତ୍ୟାର ରୂପ ନେବାକୁ ବସିଲାଣି । ଯାହା କେବଳ ପିଲାଙ୍କ ଅଭିଭାବକ କି ପୋଲିସ ନୁହେଁ, ମନସ୍ତତ୍ବବିତ୍ଙ୍କ ପାଇଁ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯୁବପିଢ଼ିଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହେଉଛି ଭିନ୍ନ ପ୍ରୟାସ । ଖୋଜା ପଡ଼ିଛି ଆତ୍ମହତ୍ୟା ପୂର୍ବରୁ ସମାଧାନ ଖୋଜିବା ବାଟ । ଏନେଇ ରବିବାର ଅନୁଷ୍ଠିତ ହେବାକୁ ଯାଉଛି ଏକ ଗୁରୁତ୍ବପୂର୍ଣ୍ଣ କର୍ମଶାଳା । ଓଡ଼ିଶା ଆସୁଛନ୍ତି ଭାରତର ପ୍ରମୁଖ ମନସ୍ତତ୍ବବିତ୍ ଓ ବିଶେଷଜ୍ଞ ।
ଆସନ୍ତା ୩ ତାରିଖରେ କମିଶନରେଟ ପୋଲିସ ସେବା ଭବନରେ ଏହି କର୍ମଶାଳା ଅନୁଷ୍ଠିତ ହେବ । ଯେଉଁଠି ଅତିଥି ମନସ୍ତତ୍ବବିତ୍ମାନେ ନିଜର ଅଭିଜ୍ଞତା ବାଣ୍ଟିବେ । ଓଡ଼ିଶାର ପ୍ରମୁଖ ମନସ୍ତତ୍ବବିତ୍, ଗଣମାଧ୍ୟମ ଜଗତର ବରିଷ୍ଠ ସାମ୍ବାଦିକ ଓ ପୋଲିସ ଅଧିକାରୀ ମଧ୍ୟ ଏଥିରେ ଭାଗ ନେବେ । ବିଶେଷ କରି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ କିପରି ରୋକା ଯାଇପାରିବ, କେଉଁ ସ୍ତରରେ ଏ ଦିଗରେ ସଚେତନତା ସୃଷ୍ଟି ହେବ ସେନେଇ ପୋଲିସ ଅଭିଜ୍ଞ ବିଶେଷଜ୍ଞଠାରୁ ଏକ ଖସଡ଼ା ପ୍ରସ୍ତୁତ କରିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ କିପରି ଷ୍ଟ୍ରାଟେଜି ଆପଣାଇ ଯାଇପାରିବ ସେ ପ୍ରସଙ୍ଗରେ ଆଲୋଚନା କରାଯିବ । ସ୍କୁଲ୍ ସ୍ତରରେ ମନିଟର ଓ କିଛି ସାହସୀ ଛାତ୍ରଛାତ୍ରୀଙ୍କୁ ଚୟନ କରି ତାଙ୍କ ଜରିଆରେ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେଭଳି କିଛି ଲକ୍ଷଣ ଦେଖିଲେ ତୁରନ୍ତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତକ୍ଷେପ କରି କିପରି ତାଙ୍କ କାଉନସେଲିଂ ପ୍ରତି ଧ୍ୟାନ ଦିଆଯାଇପାରିବ । ସେହିପରି କଲେଜ ଓ ବିଭିନ୍ନ ଡାକ୍ତରୀ, ଇଞ୍ଜିନିୟରିଂ ସହ ବୈଷୟିକ ଶିକ୍ଷା ଓ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ବା ମେସ୍ ଏବଂ କ୍ୟାମ୍ପସରେ ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବା ଛାତ୍ରଛାତ୍ରୀଙ୍କ ପ୍ରତି କିଭଳି ଏକ ସତର୍କତା ମୂଳକ ପଦକ୍ଷେ ନିଆଯିବ ଏସବୁ ଦିଗ ଉପରେ କର୍ମଶାଳାରେ ଅଭିଜ୍ଞ ଅତିଥି ନିଜର ମତ ରଖିବେ । ପ୍ରେମ ବ୍ୟାପାରକୁ ନେଇ ଅଥବା ଚାକିରି କ୍ଷେତ୍ରରେ ନିରାଶ ହେଉଥିବା ଯୁବପିଢ଼ିଙ୍କୁ କାଉନସେଲିଂ ପାଇଁ ଟୋଲ୍ ଫ୍ରି' ହେଲ୍ପଲାଇନ୍ ନମ୍ବରର ବହୁଳ ପ୍ରଚାରପ୍ରସାର ଓ ସଚେତନତା ସୃଷ୍ଟି ହେବ ସେନେଇ କର୍ମଶାଳାରେ ଆଲୋକପାତ ହେବ ।