ଭୁବନେଶ୍ବର: ବାଟୁଳି ମାରି କାର କାଚ ଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିଛି ପୋଲିସ । ଜଣେ ଦୂରରୁ ବାଟୁଳି ମାରି ଭାଙ୍ଗୁଥିଲା କାଚ । ଆଉ ଜଣେ କାରରୁ ଜିନିଷ ଲୁଟପାଟରେ କରୁଥିଲା ସହଯୋଗ । ଅନ୍ୟ ଜଣେ ସହଯୋଗୀ ନଜରରୁ ହଟିବା ପାଇଁ ଏକ କପଡା ବ୍ୟାଗରେ ଲୁଟ ଜିନିଷ ଭର୍ତ୍ତି କରି ମାରୁଥିଲା ଚମ୍ପଟ । ଏପରି ଢଙ୍ଗରେ ସହର ଭିତରେ ଗୋଟିଏ ପରେ ଗୋଟିଏ କାରର କାଚ ଭାଙ୍ଗି ବା ଡିକି ତାଡି ଲୁଟପାଟର ଆତଙ୍କ ମଚାଇଥିବା ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ ।
୪ ଜଣିଆ ଗ୍ୟାଙ୍ଗକୁ ଟ୍ରାକ କରି ଗିରଫ କରିଛି ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ । ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି, "ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ସୂର୍ଯ୍ୟା ମୁଦାଲିଆର, ରାହୁଲ ରାଓ, ଆଦିତ୍ୟ କଇଁରି, ଶଙ୍କର ସ୍ୱାମୀ ଓ ଏମାନଙ୍କର କିଛି ସହଯୋଗୀ ବୁଲି ବୁଲି ଏଭଳି ଲୁଟ ପାଟ କରୁଥିଲେ । ବିଶେଷ କରି ଏମାନେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ । ଏମାନେ ଗୋଟିଏ ରାଜ୍ୟରୁ ଲୁଟ ପରେ ଆଉ ଏକ ରାଜ୍ୟକୁ ଚମ୍ପଟ ମାରୁଥିଲେ । ଫଳରେ ଏମାନଙ୍କୁ ଟ୍ରାକ କରିବା ସହଜ ନଥିଲା । ତେବେ ଏମାନେ ଭୁବନେଶ୍ୱରର ବିଭିନ୍ନ ପାର୍କି ପ୍ଲେସ, ମଲ ସାମ୍ନା, ଭିଡ ଜମିଥିବା ଏପରି ଲୁଟପାଟ କରନ୍ତି । ଚୋରୀ ବେଳେ ଲଜରେ ରୁହନ୍ତି ଚୋରୀ ପରେ ଚମ୍ପଟ ମାରନ୍ତି । ଓଡିଶାରେ ବିଭିନ୍ନ ପୂଜା ସମୟରେ ଆସି କାର କାଚ ଭାଙ୍ଗି ଚୋରୀ କରିଥିଲେ ।"