ଭୁବନେଶ୍ବର: ଶିକ୍ଷା ଗ୍ରହଣ କରିବା ପାଇଁ ସମସ୍ତଙ୍କର ଅଧିକାର ରହିଛି । ସେଥିପାଇଁ ଗରିବ ଘରର ପିଲାମାନଙ୍କ ପାଇଁ ପ୍ରତି ବେସରକାରୀ ସ୍କୁଲ ଗୁଡିକରେ ୨୫ ପ୍ରତିଶତ ସଂରକ୍ଷଣ ରହିଛି । ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ବେସରକାରୀ ଇଂରାଜୀ ମାଧ୍ୟମିକ ସ୍କୁଲରେ ପାଠ ପଢ଼ି ପାରିବେ । ଏନେଇ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଗୋଟିଏ ପିଲା ପିଛା ବହି, ଖାତା, ମିଡ-ଡେ ମିଲ ଓ ତାର ସ୍କୁଲ ପୋଷାକ ବାବଦକୁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କିନ୍ତୁ ଏହାରି ମଧ୍ୟରେ କିଛି ଶିକ୍ଷା ଅନୁଷ୍ଠାନ ଚଞ୍ଚକତା କରି ସରକାର ଦେଉଥିବା ଟଙ୍କାକୁ ନେଉଛନ୍ତି, ଏହା ସହିତ ପିଲାଙ୍କଠାରୁ ମଧ୍ୟ ଉଚ୍ଚା ଦରରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଏଲିମେଣ୍ଟାରୀ ଏଜୁକେସନ ନିର୍ଦ୍ଦେଶକଙ୍କୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ।
ତେବେ ଅନେକ ସମୟରେ ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ସ୍କୁଲ୍ ଗୁଡିକରେ ଅଯଥା ମୋଟା ଅଙ୍କର ପଇସାରେ ବହି କିଣିବା ପାଇଁ ବାଧ୍ୟ କରିବା ସହ ପିଲାଙ୍କୁ ବସ୍ତାନୀ ବୋଝ ବୁହାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ଘରୋଇ ସ୍କୁଲ ସହ ସଲାସୁତୁରା ଓ ଭିତିରି ବୁଝାମଣାରେ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଏପରିକି ହାଇକୋର୍ଟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଉକ୍ତ ପ୍ରସଙ୍ଗରେ ପକ୍ଷ ରଖିଛନ୍ତି ।