ଓଡିଶା

odisha

ETV Bharat / state

ପ୍ରଗତି ଓ ପ୍ରକୃତିକୁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି ସରକାର: ପରିବେଶ ମନ୍ତ୍ରୀ - ପ୍ରଗତି ଓ ପ୍ରକୃତିକୁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି ସରକାର

ଲୋକସେବା ଭବନରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ । ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର କହିଲେ ମନ୍ତ୍ରୀ ପ୍ରଦୀପ ଅମାତ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ
ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ

By

Published : May 23, 2023, 9:47 AM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଗତି ଏବଂ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି । ପ୍ରାକୃତିକ ବିଭବର ଗନ୍ତାଘର ଓଡ଼ିଶାର ଜୈବ ବିବିଧତାର ସୁରକ୍ଷା ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସହିତ ଜୈବ ବିବିଧତା ପରିଚାଳନା ସମିତି, ବନ ସୁରକ୍ଷା ସମିତି ସର୍ବୋପରି ସାଧାରଣ ଜନତାଙ୍କ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଜୈବ ବିବିଧତାର ଗନ୍ତାଘର କୁହାଯାଉଥିବା ମଣ୍ଡାସାରୁ, ମହେନ୍ଦ୍ରଗିରି ଓ ଗନ୍ଧମାର୍ଦ୍ଦନ ପର୍ବତ ଆଦି ୩ଟି ଜଙ୍ଗଲ ପରିସଂସ୍ଥାକୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି । ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ।

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ

ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର । ୪୯ଟି ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଇକୋଗାଇଡ୍‌ମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ସ୍ଥାନୀୟ ଜୀବନ ଜୀବିକା ସୁଦୃଢ଼ କରାଯାଇଛି । ରାଜ୍ୟ ସରକାର ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ଗୋଟିଏ ଜୈବମଣ୍ଡଳ ଏବଂ ୨ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ।

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଉଭୟ ଉଭୟଙ୍କର ପରିପୂରକ । ରାଜ୍ୟ ସରକାର ପ୍ରକୃତିର ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ରାଜ୍ୟର ସର୍ବାଙ୍ଗୀନ ପ୍ରଗତି ସାଧିତ କରୁଛନ୍ତି । ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ରହିଲେ ଜୈବ ବିବିଧତା ଅକ୍ଷୁର୍ଣ୍ଣ ରହିବ । ଭବିଷ୍ୟତ ପିଢ଼ି ଉପକୃତ ହେବେ । ମୋଣ୍ଟେରିଏଲରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ୨୦୫୦ ସୁଦ୍ଧା ବିଶ୍ବବାସୀଙ୍କୁ ୪ଟି ମୁଖ୍ୟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ସେଗୁଡ଼ିକ ହେଲା ବିଲୁପ୍ତ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂରକ୍ଷଣ, ଗୁଣସୂତ୍ର ବିବିଧତାର ସୁରକ୍ଷା, ପାରମ୍ପରିକ ଜ୍ଞାନକୌଶଳ ଉପଯୋଗ କରି ଜୈବ ସଂପଦର ସଂରକ୍ଷଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ଇତ୍ୟାଦି । ଏ ଦିଗରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଚେତନ ଏବଂ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ

ଓଡ଼ିଶା ଜୈବ ବିବିଧତା ବୋର୍ଡର ଅଧ୍ୟକ୍ଷା ପୁଷାଜୁଲେ ମେକ୍ରୋ କହିଛନ୍ତି ଯେ, ଓଡ଼ିଶାରେ ପାଖାପାଖି ୫,୧୭୪ ପ୍ରଜାତିର ଉଦ୍ଭିଦ ଓ ୩,୭୨୮ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି । ଏଥିମଧ୍ୟରୁ ପାଖାପାଖି ୧୫୩ ପ୍ରଜାତିର ଉଦ୍ଭିଦ ଓ ୬୫ ପ୍ରଜାତିର ପ୍ରାଣୀ ସଙ୍କଟାପନ୍ନ ଅଟନ୍ତି । ସାମୁଦ୍ରିକ କଇଁଛ, ୩ ପ୍ରଜାତିର କୁମ୍ଭୀର, ୫୫୦ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ହେନ୍ତାଳ, ବୃକ୍ଷଲତା, କୃଷ୍ଣସାର ମୃଗ, ସ୍କିମର ପକ୍ଷୀ, ନୀଳରକ୍ତ କଙ୍କଡ଼ା ଏବଂ ବିଭିନ୍ନ ପ୍ରଜାତିର ଅର୍କିଡ ଓ ମାଂସାସୀ ଉଦ୍ଭିଦ ଆମ ରାଜ୍ୟର ଅନନ୍ୟ ଜୈବ ସଂପଦ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ-୨୦୨୩ ପାଳିତ

ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ଜୈବ ବିବିଧତାର ପୁନଃସ୍ଥାପନ ପାଇଁ ଚୁକ୍ତିନାମା ଓ କାର୍ଯ୍ୟକାରିତା' । କାର୍ଯ୍ୟକ୍ରମରେ ଅତିଥିମାନେ ‘ମ୍ୟାଜିକାଲ ବାୟୋଡାଇଭର୍ସିଟି ଅଫ ମହେନ୍ଦ୍ରଗିରି ହିଲସ: ଦି ପ୍ରାଇଡ ଅଫ ଇଷ୍ଟର୍ଣ୍ଣ ଘାଟସ ଅଫ ଇଣ୍ଡିଆ’, ‘ଇରାୱାଡ଼ି ଡଲଫିନ୍ସ: ସ୍ପେସିସ ଆଟ ଦି କ୍ରସରୋଡ’, ‘ଦି ଆକଫିଭିଟି ରିପୋର୍ଟ ଅଫ ଦି ଓଡ଼ିଶା ବାୟୋଡାଇଭରସିଟି ବୋର୍ଡ’, ‘ହ୍ୟାଣ୍ଡଲିଂ ଆଣ୍ଡ ରିଲିଜିଂ ଅଫ୍‌ ପ୍ରୋବ୍ଲେମାଟିକ ଆନିମଲସ’ ପୁସ୍ତକ ସହ ‘ଦି ଟେଲସ ଅଫ ଗନ୍ଧମାର୍ଦ୍ଦନ’ ଶୀର୍ଷକ ଏକ ଦୃଶ୍ୟ-ଶ୍ରାବ୍ୟ ଡକୁମେଣ୍ଟାରୀ ଲୋକାର୍ପଣ କରିଛନ୍ତି ।

ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଦିତି ଭୂୟାଁ ଜୈବ ବିବିଧତା ଉପରେ ସୁନ୍ଦର ବକ୍ତବ୍ୟ ରଖି ପ୍ରଶଂସିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଓଡ଼ିଶା ଜଙ୍ଗଲ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ସୁଶୀଲ କୁମାର ପୋପଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ୨୭ଟି ଜିଲ୍ଲାରୁ ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details