ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ଓ ଗବେଷଣାକୁ ଗୁରୁତ୍ବ । ଅଷ୍ଟ୍ରେଲିଆ ପ୍ରତିନିଧିଙ୍କ ସହ ଆଲୋଚନା କଲେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି । ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବାରୋପ କରିଛି । ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମିନିଷ୍ଟର କାଉନ୍ସିଲ୍ର (ଶିକ୍ଷା ଓ ଗବେଷଣା) ଅଷ୍ଟ୍ରେଲିଆ ମି.ମାଥ୍ୟୁ ଜନ୍ଷ୍ଟନ, ଡାଇକିନ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଇୟାନ୍ ମାର୍ଟିନ୍ ଏବଂ ମି. ଡାନିଏଲ୍ ସିମ୍ (ଡେପୁଟି କନ୍ସୁଲେଟ୍ ଜେନେରାଲ୍), ଅଷ୍ଟ୍ରେଲିଆନ୍ କନ୍ସୁଲେଟ୍ ଜେନେରାଲ୍, କୋଲକାତାଙ୍କ ମିଳିତ ପ୍ରତିନିଧିଙ୍କ ସହ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଓ ସୃଜନଶୀଳତାର ବିକାଶ ପାଇଁ ସହଯୋଗର ନକ୍ସା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ।
ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ବବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ଚିତ୍ର ତଥା ବିଶ୍ବରେ ଗବେଷଣା କ୍ଷେତ୍ରରେ ଉପଲବ୍ଧି କରିଥିବା ପ୍ରସିଦ୍ଧିର ତଥ୍ୟ ଶିକ୍ଷାବିତ୍ମାନେ ଅବଗତ କରିଛନ୍ତି । ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଦକ୍ଷ ହେବା ଜରୁରୀ । ଚାକିରି ନଖୋଜି ଚାକିରି ପ୍ରଦାନକାରୀ ହୋଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି । ସହଯୋଗଭିତ୍ତିକ ଶିକ୍ଷା ପ୍ରଦାନରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ପରିବର୍ତ୍ତନଶୀଳ ଶିକ୍ଷା ବ୍ୟବସ୍ଥାରେ ସମ୍ବଳ ବନିପାରିବା ସହ ଆନ୍ତର୍ଜାତିକ ସ୍ତରରେ ଗବେଷଣାରେ ପ୍ରସିଦ୍ଧି ଲାଭ କରିପାରିବେ ବୋଲି କହିଛନ୍ତି।