ଓଡିଶା

odisha

ETV Bharat / state

ଭୁବନେଶ୍ୱରରେ ବିଗୁଡୁଛି ଅପରାଧର ଛବି, ରାଜ୍ୟ ବାହାର ଅପରାଧୀଙ୍କ ପାଇଁ ବଢୁଛି ଚିନ୍ତା - ଚୋରା ସ୍ପେୟାର ମାର୍କେଟ

ଭୁବନେଶ୍ବରରେ ବିଗୁଡୁଛି ଅପରାଧର ଛବି । ଅପରାଧ ଘଟାଉଛନ୍ତି ରାଜ୍ୟବାହାର ଅପରାଧି । ଅଧିକ ପଢନ୍ତୁ

inter state criminals
inter state criminals

By

Published : May 2, 2023, 1:01 PM IST

ଭୁବନେଶ୍ବର:ରାଜ୍ୟ ରାଜଧାନୀରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଅପରାଧର ଛବି । ନୂଆନୂଆ ତରିକା ସହ ଭିନ୍ନଭିନ୍ନ ଉପାୟରେ ଅପରାଧ ଘଟାଇ ଚାଲିଛନ୍ତି ଅପରାଧି । ଚୋରି, ଛିନତାଇ ରାହାଜାନି ଭଳି କାଣ୍ଡ ଘଟାଇ ଚମ୍ପଟ ମାରୁଛନ୍ତି ଅପରାଧି । କେତେବେଳେ କାହା ଘରେ ପଶି ଚୋରି କଲେଣି ତ ପୁଣି କେଉଁଠି ବିଚ୍‌ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଚେନ୍‌ ଝାମ୍ପିଲେଣି । ଆଉ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନର ସଟର ଭାଙ୍ଗି ଲୁଟ୍‌ କଲେଣି । ଦଳ ବଦଳ ହୋଇ ସହରରେ ବୁଲି କରୁଛନ୍ତି ଡକାୟତି । ଅନେକ ସମୟରେ ଲୁଟ୍‌ ଓ ରାହାଜାନୀ ପାଇଁ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି ଅପରାଧି । ଏହି ସବୁ ଘଟଣାରେ ଅନେକ ସମୟରେ ରାଜ୍ୟ ବାହାରର ଅପରାଧି ସାମିଲ ଥିବା ନଜରକୁ ଆସିଛି । ଲାଗୁଛି ଯେମିତି ରାଜ୍ୟ ବାହାରର ଅପରାଧି ଅପରାଧ ଘଟାଇବା ପାଇଁ ରାଜଧାନୀ ଭୁବନେଶ୍ବରକୁ ଉପଯୁକ୍ତ ସ୍ଥାନ ବୋଲି ଭାବି ନେଇଛନ୍ତି ।

ବିଗତ କିଛି ଦିନ ଧରି ପୋଲିସ ହାତରେ ଧରାପଡୁଥିବା ଅପରାଧିଙ୍କ ସଂଖ୍ୟା ଦେଖିଲେ ଜଣାପଡ଼ୁଛି ରାଜ୍ୟ ବାହାର ଅପରାଧି ପୂର୍ବ ଅପେକ୍ଷା ସତେ ଯେପରି ଅଧିକ ସକ୍ରିୟ ହୋଇ ଯାଇଛନ୍ତି । କାରଣ ଗତ ରବିବାର କମିଶନରେଟ ପୋଲିସ ବାଇକ ଚୋରି ଗ୍ୟାଙ୍ଗର ଖୁଲାସା କରିଥିଲା। କ୍ୟାପିଟାଲ ଥାନା ଅଞ୍ଚଳରୁ ତିନି ଜଣ ପଶ୍ଚିମବଙ୍ଗର ଅପରାଧି ସମେତ ଜଣେ ଓଡିଶା ବାଇକ ଚୋରକୁ ଗିରଫ କରିଥିଲା ପୋଲିସ ।

ପୋଲିସ ସୂଚନା ମୁତାବକ ଏମାନେ ଗାଡି ଚୋରି କରିବା ପରେ ତାର ଭଲ ଥିବା ପାର୍ଟସ ଗୁଡିକୁ ବଜାରରେ ବିକୁଥିଲେ । ଅର୍ଥାତ୍ କବାଡି ଖାନା ପରି ଚୋରା ସ୍ପେୟାର ମାର୍କେଟ ଖୋଲି ଗାଡିର ପାର୍ଟସକୁ ବିକ୍ରି କରୁଥିଲେ । କେବଳ ଭୁବନେଶ୍ଵର ନୁହେଁ ରାଜ୍ୟ ବାହରକୁ ଲମ୍ବିଥିଲା ଏହି ଚୋରା ପାର୍ଟସର କାରବାର। ତେବେ କେବଳ ଏଇ ଗୋଟିଏ ଘଟଣା ନୁହେଁ ଏମିତି ଅନେକ ଅପରାଧିକ ଘଟଣାରେ ରାଜ୍ୟ ବାହର ଅପରାଧି ସାମିଲ ଥିବା ନଜରକୁ ଆସିଛି ।

ଗତ ମାର୍ଚ୍ଚ ମାସ ୨୩ତାରିଖରେ ସ୍ପେଶାଲ ସ୍କ୍ବାଡ୍‌ ହାତରେ ଧରାପଡିଥିଲେ ଉଆ ଗ୍ୟାଙ୍ଗ ବା ମୁକ ବଧିର ଅଭିନୟ କରି ଲୁଟୁଥିବା ଗ୍ୟାଙ୍ଗ୍‌ । ଯେଉଁଥିରେ ଥିଲେ ଏକାଧିକ ତାମିଲନାଡୁର ଲୁଟେରା । ୩ଜଣ ଧରାପଡ଼ିଥିବା ବେଳେ ଆହୁରି ୪ଜଣ ଫେରାର ଥିବା ବୋଲି ପୋଲିସ ସେତେବେଳେ ସୂଚନା ଦେଇଥିଲା । ଯେଉଁମାନେ କି ଘରେ ପଶି ମୋବାଇଲ ଲ୍ୟାପ୍‌ଟପ୍ ଚୋରି କରି ଛୁ ମାରୁଥିଲେ ।

ସେହିପରି ୨୪ମାର୍ଚ୍ଚ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ୭ଜଣିଆ ଗ୍ୟାଙ୍ଗ୍‌ ଡକାୟତି ଯୋଜନା କରୁଥିବା ବିହାରି ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ଯେଉଁମାନେ କି ଲକ୍ଷ୍ମୀସାଗର ଓସ୍କାର ସିଟି ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଖବର ପାଇ ଧରିଥିଲା ପୋଲିସ । ତେବେ ସେତିକି ନୁହେଁ ସାଇବର ଥାନା ହାତରେ ମଧ୍ୟ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ଠକ ଧରା ପଡିଥିଲେ । ସେହିପରି ମୋ ବସ୍‌ରେ ଲୁଟ୍‌ପାଟ୍‌ କରୁଥିବା ବଞ୍ଜାରା ଗ୍ୟାଙ୍ଗ୍‌ ମଧ୍ୟ ରାଜ୍ୟ ବା଼ହାରର ଅପରଧି ସାମିଲ ଥିବା ପୋଲିସ ପୁର୍ବରୁ ଜାଣିବାକୁ ପାଇଥିଲା । ତେବେ ଏହି ସବୁ ଅପରାଧର ଇତିହାସ ଦେଖିଲେ ମନେ ହେଉଛି ସତେ ଯେପରି ଭୁବନେଶ୍ୱରରେ ସକ୍ରିୟ ହୋଇଯାଇଛନ୍ତି ରାଜ୍ୟ ବାହାର ଅପରାଧି । ଏଥିପାଇଁ ଅପରାଧର ଛବି ବିଗିଡିବା ସହ ସହରବାସୀଙ୍କ ପାଇଁ ଏକ ଭୟର ବାତାବରଣ ସୃଷ୍ଟି କରୁଛି । ନିଜେ ସତର୍କ ଓ ସଚେତନ ନହେଲେ ଯକୌଣସି ସମୟରେ ବି ଏମାନଙ୍କର ଶିକାର ହେବାର‌ ଭୟ ରହୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details