ଭୁବନେଶ୍ବର:ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କୁ ମିଳୁନି ଦରମା । 2016-2022 ମଧ୍ୟରେ ହାଇସ୍କୁଲରେ ନିଯୁକ୍ତ ପ୍ରାରମ୍ଭିକ ଶିକ୍ଷକଙ୍କୁ ମାର୍ଚ୍ଚ ମାସର ଦରମା ଏ ପର୍ଯ୍ୟନ୍ତ ମିଳିନାହିଁ । ରାଜ୍ୟ ସରକାର ଏହି ଶିକ୍ଷକଙ୍କ ନିଯୁକ୍ତିକୁ ନିୟମିତ କରିବା ପରେ ଏଭଳି ସମସ୍ୟା ଦେଖାଦେଇଛି । ରାଜ୍ୟରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାକୁ 6 ମାସ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଶିକ୍ଷକମାନେ ଏଯାଏଁ ନିୟମିତ ହୋଇପାରି ନାହାନ୍ତି । ଗତ ଏପ୍ରିଲ 13 ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଏହି ପ୍ରକ୍ରିୟା ଆଗକୁ ବଢ଼ିପାରି ନାହିଁ । ଯାହାଫଳରେ ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଏବେ ମଧ୍ୟ ଦ୍ବନ୍ଦ୍ୱରେ ପଡିଛନ୍ତି ।
ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିବାରୁ ପୂର୍ବରୁ ଯେପରି ଭାବରେ ଦରମା ପାଉଥିଲେ ସେହି ଦରମା ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି । ଅନ୍ୟପକ୍ଷରେ ଚାକିରି ନିୟମିତ ନେଇ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଦରମା ଦେବାରେ ସମସ୍ୟା ସୃଷ୍ଟି ହୋଇଛି । ଏନେଇ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ପ୍ରତିନିଧି ଟିମ୍ ସୋମବାର OSEPA ଅଭିଯୋଗ ପ୍ରକୋଷ୍ଠ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଯାଇ ସମସ୍ୟା ସଂକ୍ରାନ୍ତରେ ଜଣାଇବା ସହ ତୁରନ୍ତ ଦରମା ମଞ୍ଜୁରୀ ଏବଂ ନିୟମିତ କରିବାକୁ ଦାବି କରିଛନ୍ତି ।