ଭୁବନେଶ୍ବର:ଅନ୍ୟର ଜୀବନ ବଞ୍ଚାଇବାକୁ ଅଙ୍ଗଦାନ । ଭଗବାନ ନ ହୋଇ ମଧ୍ୟ କାହାର ଜୀବନ ରକ୍ଷା କରିବାର ଶକ୍ତି ଆମ ଭିତରେ ରହିଛି । କେବଳ ଗୋଟିଏ ପ୍ରଚେଷ୍ଟା, ଅଙ୍ଗଦାନ କରି । ଯାହାକୁ ମୃତ୍ୟୁ ପରେ ମହତ କାର୍ଯ୍ୟ କୁହାଯାଏ । ଏହି ସନ୍ଦେଶ ନେଇ ପ୍ରତିବର୍ଷ ଅଗଷ୍ଟ 3 ତାରିଖକୁ ପାଳନ କରାଯାଏ ଭାରତୀୟ ଅଙ୍ଗଦାନ ଦିବସ । ମୃତ୍ୟୁକୁ ଆମେ ଅଟକାଇ ପାରିବା ନାହିଁ ସତ କିନ୍ତୁ କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି । ଭୁବନେଶ୍ୱର ଏମ୍ସରେ ଗୁରୁବାର ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି । ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏମ୍ସ ଓପିଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଛନ୍ତି । ସେହିପରି ଏମ୍ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ନାଟ୍ୟ ଅଭିନୟ କାର୍ଯ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଥି ସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଛି ।