ଭୁବନେଶ୍ବର:ଏଣିକି ପିଲାଙ୍କୁ ପାଠ ପଢାଇବେ ସାମୟିକ କଳା ଓ କ୍ରୀଡ଼ା ସହାୟକ । ମାସକୁ ଅତିକମ୍ରେ ସେମାନେ ୨୪ଟି ପିରିୟଡ୍ ନେବା ସହ ସେମାନଙ୍କୁ ସପ୍ତାହକୁ ୬ଟି ପିରିୟଡ୍ ନେବାକୁ ପଡ଼ିବ । ଜବ୍ ଚାର୍ଟ ଅନୁସାରେ ସାମୟିକ କଳା ଓ କ୍ରୀଡ଼ା ସହାୟକଙ୍କୁ ପିରିୟଡ୍ ଆବଣ୍ଟନ କରାଯିବ । ଯାହାଫଳରେ ସେମାନେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ସମୟ ନିର୍ଘଣ୍ଟ ମୁତାବକ କ୍ଲାସ୍ ନେଇ ପାରିବେ । ତେବେ ଏନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଏହି ନିର୍ଦ୍ଦେଶ ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି ।
ତେବେ ସାମୟିକ କଳା ସହାୟକଙ୍କ ଜବ୍ଚାର୍ଟ ଅନୁସାରେ, ସେମାନେ ବିଦ୍ୟାଳୟ ଅବଧି ସମୟରେ ଉପସ୍ଥିତ ରହିବେ । ଏଥିସହ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ସମୟ ନିର୍ଘଣ୍ଟ ଅନୁସାରେ କ୍ଲାସ୍ ନେବେ । ଆବଶ୍ୟକସ୍ଥଳେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ପାଠପଢ଼ାରେ ସାହାଯ୍ୟ କରିବେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଦିଗର ଉନ୍ନତି ପାଇଁ କ୍ରିୟାତ୍ମକ ଯୋଜନା ପ୍ରସ୍ତୁତି ଏବଂ ପ୍ରଧାନ ଶିକ୍ଷକଙ୍କ ପରାମର୍ଶକ୍ରମେ ସେମାନେ କାର୍ଯ୍ୟ କରିବେ । ଏହାସହ ବିଦ୍ୟାଳୟ ପାଠ୍ୟ ଖସଡ଼ା ତଥା ରାଜ୍ୟ ଶିକ୍ଷକ ଓ ଶିକ୍ଷା ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରସ୍ତୁତ କରାଯାଇଥିବା ଶୈଖିକ ସମୟ ନିର୍ଘଣ୍ଟ ଏବଂ କାର୍ଯ୍ୟଧାରା ଅନୁସାରେ କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପରିଚାଳନା କରିବେ ।
ସେହିପରି ପ୍ରତି ମାସର ଶନିବାର ଦିନ ବିଦ୍ୟାଳୟରେ ପିଲାଙ୍କୁ ଉତ୍ସାହିତ କରିବା ନିମନ୍ତେ ସେମାନଙ୍କ କୃତି ଗୁଡ଼ିକୁ ନେଇ କଳା ପ୍ରଦର୍ଶନୀ କରିବେ । ପିଲାମାନଙ୍କ ଅଗ୍ରଗତିର ଧାରାକୁ ବିଭିନ୍ନ ପ୍ରକାର ସାଧନ ମାଧ୍ୟମରେ ମାପିବା ସହ ପିଲାଙ୍କ କଳା ବିଷୟରେ ସାମର୍ଥ୍ୟ ବୃଦ୍ଧି ପାଇଁ ଚେଷ୍ଟା କରିବେ । ସେହିପରି ସାମୟିକ କ୍ରୀଡ଼ା ସହାୟକମାନେ ବିଦ୍ୟାଳୟ ଅବଧି ସମୟରେ ଉପସ୍ଥିତ ରହିବା ସହ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପ୍ରସ୍ତୁତ ସମୟ ନିର୍ଘଣ୍ଟ ଅନୁସାରେ କାମ କରିବେ । ପ୍ରଧାନ ଶିକ୍ଷକଙ୍କ ନିର୍ଦେଶକ୍ରମେ ସେମାନେ ସକାଳ ବେଳା କିମ୍ବା ଉପର ବେଳା ଉପସ୍ଥିତ ହେବେ ।