ଭୁବନେଶ୍ବର: ସାଧାରଣ ନିର୍ବାଚନ ଥିବାରୁ ଓଡ଼ିଶା ଗସ୍ତରେ ଆସିବେ 2 ଜାତୀୟ ଦଳର କେନ୍ଦ୍ରୀୟ ନେତା । ଚଳିତ ମାସରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ବିଜେଡି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନୁହନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ ।
ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, " 2019 ଅପେକ୍ଷା 2024ରେ ଆମେ ଅଧିକ ସିଟ ନେବୁ । ରାଜ୍ୟରେ ବିରୋଧୀ ଦଳଙ୍କ ସୁଅ ହିଁ ନାହିଁ । ଅତୀତରେ କିଛି କିଛି ଥିଲା, ଏଥର ଟୋଟାଲ ନାହିଁ । ସମସ୍ତେ ସୁପ୍ତ ପ୍ରାୟ । ତେଣୁ ଏଠାରେ ନବୀନ ଓ ବିଜୁ ଜନତା ଦଳ ଛଡା କିଛି ନାହିଁ । କୋଭିଡ ଓ ପରବର୍ତ୍ତୀ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ମଠ ମନ୍ଦିର କାର୍ଯ୍ୟକ୍ରମ ହୋଇଛି । ଆମେ ଜାଣିଛୁ ବିଗତ ଦିନରେ ଆମେ କଣ କରିଛୁ । କଣ ଆଶା କରୁଛୁ ଓ ଲୋକଙ୍କ ମନରେ କେତେ ଦୂର ପଶିଛୁ ସେଇଟା ବଡ଼ କଥା । ଆମେ ଜାଣିଛୁ ଲୋକଙ୍କ ମନ ଭିତରେ ଆମେ ବସିସାରିଲୁଣି ।"
ଏହା ବି ପଢନ୍ତୁ- ବିଜେପିର କୋର କମିଟି ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ
ସମ୍ବିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୀମଙ୍କ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି । ସେ କହିଛନ୍ତି ଯେ, ଗୋଟେ ଭୀମ ହେଲେ, 99 ଭାଇଙ୍କର କିଛି ଦମ ନାହିଁ । ସବୁ କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଚାଲି ଆସନ୍ତୁ, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ସମକକ୍ଷ ହେବେନାହିଁ । ଟଙ୍କା ଦେଇ ମିଟିଂକୁ ଲୋକ ନେଇଯିବା ଠିକ ଅଛି । କିନ୍ତୁ ଯେତେବେଳେ ଭୋଟ ବାକ୍ସରେ ପଡିବ ସେତେବେଳେ ସମସ୍ତଙ୍କ ହାତ ଶଙ୍ଖ ଚିପିଥିବ । ନବୀନଙ୍କ ଖାତାକୁ ଭୋଟ ଯାଇଥିବ । ତେଣୁ ଯେତେ କେନ୍ଦ୍ରମନ୍ତ୍ରୀ ଆସନ୍ତୁ, ଯାହା କରନ୍ତୁ ଆମର କିଛି କହିବାର ନାହିଁ । ସେମାନଙ୍କର ଅଭ୍ୟାସଗତ ସ୍ଵଭାବ ହେଉଛି କହିବା ।