ଓଡିଶା

odisha

By

Published : May 19, 2023, 7:41 PM IST

ETV Bharat / state

ଥଇଥାନ ପଦବୀ କି ବାଚସ୍ପତି ପଦ; ୧୯ବର୍ଷରେ ୭ ବାଚସ୍ପତି ପୂରା କରିନାହାଁନ୍ତି କାର୍ଯ୍ୟକାଳ

ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ସ୍ବତନ୍ତ୍ର କ୍ଷମତା ପ୍ରାପ୍ତ ହେଉଛନ୍ତି ବାଚସ୍ପତି । କିନ୍ତୁ ଗତ କିଛି ବର୍ଷ ହେବ ବାଚସ୍ପତି ପଦ ଓ କ୍ଷମତାକୁ ଗୌଣ କରି ଦିଆଯାଇଥିବା ଅଭିଯୋଗ ହେଉଛି । ଗତ ୧୯ ବର୍ଷ ଭିତରେ ୭ ବାଚସ୍ପତି ତାଙ୍କ କାର୍ଯ୍ୟକାଳ ପୂରା କରିନାହାଁନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

୧୯ ବର୍ଷରେ ୭ ବାଚସ୍ପତି ପୂରା କରିନାହାଁନ୍ତି କାର୍ଯ୍ୟକାଳ

ଭୁବନେଶ୍ବର: ବିଧାନସଭାର ସୁପରିଚାଳନା ଲାଗି ବାଚସ୍ପତିଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଓ ସାମ୍ବିଧାନିକ ଭୂମିକା । ବାଚସ୍ପତି ହେଉଛନ୍ତି ବିଧାନସଭା ଭିତରେ ଓ ବାହାରେ ଅଖଣ୍ଡ କ୍ଷମତାର ଅଧିକାରୀ । ବିଶେଷ କରି ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ସ୍ବତନ୍ତ୍ର କ୍ଷମତା ପ୍ରାପ୍ତ ହେଉଛନ୍ତି ବାଚସ୍ପତି । କିନ୍ତୁ ଗତ କିଛି ବର୍ଷ ହେବ ବାଚସ୍ପତି ପଦ ଓ କ୍ଷମତାକୁ ଗୌଣ କରି ଦିଆଯାଇଥିବା ଅଭିଯୋଗ ହେଉଛି । ଗତ ୧୯ ବର୍ଷରେ ୭ ବାଚସ୍ପତି କାର୍ଯ୍ୟକାଳ ପୂରା ନକରିବା ଅଭିଯୋଗକୁ ମୋହର ମାରୁଛି ।

ଏହାବି ପଢନ୍ତୁ- Gyanvapi Mosque: ବୈଜ୍ଞାନିକ ସର୍ବେକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ବିଧାନସଭା ମାନୁଆଲ ଅନୁଯାୟୀ ଜଣେ ବଚସ୍ପତିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ । ବିଧାନସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରୁହେ । କିନ୍ତୁ ଗତ ୧୯ ବର୍ଷ ଭିତରେ ୭ ବାଚସ୍ପତି ତାଙ୍କ କାର୍ଯ୍ୟକାଳ ପୂରା କରିନାହାଁନ୍ତି । ଏମିତିକି ଦୁଇ ଜଣ ବାଚସ୍ପତିଙ୍କ କାର୍ଯ୍ୟକାଳ ବର୍ଷେ ପୁରିନଥିବା ବେଳେ ତାଙ୍କୁ ପଦ ଛାଡିବାକୁ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପ୍ରଥମ ଓ ତୃତୀୟ ପାଳିକୁ ଛାଡିଦେଲେ ଆଉ କୌଣସି ସମୟରେ ଜଣେ ବି ବାଚସ୍ପତି କାର୍ଯ୍ୟକାଳ ଶେଷ କରିପାରି ନାହାଁନ୍ତି ।

ଏହାବି ପଢନ୍ତୁ- RathaKhala Halchal: ତିନି ରଥର ହେଲା ଦଣ୍ଡା ଅନୁକୂଳ କାର୍ଯ୍ୟ

୨୦୦୦ରେ ନବୀନ ପଟ୍ଟନାୟକଙ୍କ ସରକାର ଗଠନ ହୋଇଥିଲା । ବିଜେଡି- ବିଜେପି ମିଳିତ ମେଣ୍ଟ ସରକାରରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବାଚସ୍ପତି ଭାବେ ବରିଷ୍ଠ ରାଜନେତା ଶରତ କର ନିର୍ବାଚିତ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବାଚସ୍ପତି ରହିଥିଲେ । ଯଦିଓ ଏହା ୫ ବର୍ଷ ସମୟ ନଥିଲା, କିନ୍ତୁ ଆଗୁଆ ବିଧାନସଭାକୁ ଭଙ୍ଗ କରାଯାଇ ସରକାର ନିର୍ବାଚନକୁ ଯାଇଥିଲେ । ୨୦୦୪ରେ ନୂଆ ବିଧାନସଭା ଗଠନ ହୋଇଥିଲା । ନବୀନଙ୍କ ନେତୃତ୍ବରେ ଦ୍ବିତୀୟ ପାଳିର ସରକାର କାର୍ଯ୍ୟ ଆରମ୍ଭ କରିଥିଲା । ଏଥିରେ ପୁରୀର ତତ୍କାଳୀନ ବିଧାୟକ ମହେଶ୍ବର ମହାନ୍ତି ବାଚସ୍ପତି ହୋଇଥିଲେ । ସେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ବିବାଦୀୟ ସ୍ଥିତିରେ ତାଙ୍କୁ ବଦଳାଯାଇଥିଲା । ଅସ୍ଥାୟୀ ଭାବେ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ଏହି ଦାୟିତ୍ବ ତୁଲାଇଥିଲେ । ୨୦୦୮ ମାର୍ଚ୍ଚ ୩୧ ରୁ ୨୦୦୮ ଅଗଷ୍ଟ ୧୯ ଯାଏଁ ସେ ଦାଇତ୍ବ ତୁଲାଇଥିଲେ ।

ପରେ ୨୦୦୮ ଅଗଷ୍ଟ ୧୯ ରେ ଝାରସୁଗୁଡା ବିଧାୟକ କିଶୋର ମହାନ୍ତି ବାଚସ୍ପତି ହୋଇଥିଲେ । ସେ ୨୦୦୯ ମେ ୨୫ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ସେହିପରି ୨୦୦୯ ରେ ନୂଆ ବିଧାନସଭା ଗଠନ ହେଲା । ଏଥିରେ ବୌଦ୍ଧ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବାଚସ୍ପତି ହୋଇଥିଲେ । ସେ ୨୦୦୯ ମେ ୨୫ରୁ ୨୦୧୪ ମେ ୨୦ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ୨୦୧୪ ରେ ନୂଆ ବିଧାନସଭା ଗଠନ ହେଲା । ନୂଆ ବାଚସ୍ପତି ଭାବେ ସୋନପୁର ବିଧାୟକ ତଥା ବର୍ତ୍ତମାନର ବରିଷ୍ଠ ମନ୍ତ୍ରୀ ନିରଞ୍ଚନ ପୂଜାରୀ ଦାୟିତ୍ବ ନେଇଥିଲେ । ସେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲେ । ତାଙ୍କୁ ବଦଳାଯାଇ ପୁଣି ପ୍ରଦୀପ କୁମାର ଅମାତଙ୍କୁ ଦିଆଗଲା ବାଚସ୍ପତି ଦାୟିତ୍ବ । ସେ 2019 ମେ' ୩୧ ପର୍ଯ୍ୟନ୍ତ ରହିଥିଲେ ।

ଅନ୍ୟପଟେ ୨୦୧୯ ରେ ନୂଆ ବିଧାନସଭାରେ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ହୋଇଥିଲେ । ସେ ୨୦୨୨ ଜୁନ ୪ରେ ଇସ୍ତଫା ଦେଇଥିଲେ । ଶାରୀରିକ ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଇଥିଲା । ୨୦୨୨ ଜୁନ ୧୩ରେ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ବର୍ଷଟିଏ ଯାଇନି ସେ ମଧ୍ୟ ପଦରୁ ଇସ୍ତଫା ଦେଲେ । ୨୦୨୩ ଜୁନ ୧୨ରେ ଭଞ୍ଜନଗରରୁ ୬ଥର ନିର୍ବାଚିତ ହୋଇ ବାଚସ୍ପତି ହୋଇଥିବା ବିକ୍ରମ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଥିଲେ । ପରବର୍ତ୍ତୀ ବାଚସ୍ପତି ନିର୍ବାଚିତ ହୋଇନଥିବାବେଳେ ରେସ୍‌ରେ ଅଛନ୍ତି ଅନେକ ବରିଷ୍ଠ ନେତା । ଏବେ ଅପେକ୍ଷା କିଏ ହେଉଛି ଷୋଡଶ ବିଧାନସଭାର ଅନ୍ତିମ ବାଚସ୍ପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details