ଖୋର୍ଦ୍ଧା : ଖୋର୍ଦ୍ଧାରେ ମାଙ୍କଡା ପଥର ମାଫିଆଙ୍କ ରାଜ୍ । ବେଗୁନିଆ ବ୍ଲକର କୁଞ୍ଜୁରୀ ଗାଁରେ ଖୁଲମଖୁଲା ଚାଲିଛି ବେଆଇନ ପଥର ଖନନ । ରାସ୍ତାକଡରୁ ଲୁଟି ନେଉଛନ୍ତି ଲକ୍ଷାଧିକ ମୂଲ୍ୟର ମାଙ୍କଡା ପଥର । ରାତାରାତି ପଥର ଖୋଳିବା ସହ ରାସ୍ତା କଡରେ ବଡ ବଡ ଗାତ ସୃଷ୍ଟି କରୁଛନ୍ତି । ଖାଲି ସେତିକି ନୁହେଁ ଖଣି ଖନନ ହେଉଥିବାରୁ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି । ଯାହାକି ସ୍ଥାନୀୟ ଲୋକଙ୍କ ଜୀବନକୁ ଅତିଷ୍ଟ କରିସାରିଲାଣି ।
ବେଆଇନ ଖଣି ଖନନ ପାଇଁ ଜଙ୍ଗଲ ନଷ୍ଟ ସହ ବହୁ ମୂଲ୍ୟବାନ ଗଛ ହଜିଗଲାଣି । ହେଲେ ଏହାର ପ୍ରତିବାଦ କରିବାରୁ ସ୍ଥାନୀୟ ଲୋକଙ୍କୁ ଖଣି ମାଫିଆ ମାନେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନର ଆଶ୍ରା ଲୋଡିଲେ ବି ପ୍ରଶାସନ ଚୁପ୍ । ଅଞ୍ଚଳରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିଥିବା ମାନିବା ସହ ନିଜ ଉପରେ ରିକ୍ସ ଥିବା କହୁଛନ୍ତି ପ୍ରଶାସନିକ ଅଧିକାରୀ । ଖାଲି ବେଆଇନ ଖଣି ଖନନ ସ୍ଥାନରେ 144 ଧାରା ଲଗାଯିବ କହି କେବଳ ଆଶ୍ବାସନା ଦେଉଛନ୍ତି ।
ଜିଲ୍ଲାପାଳଙ୍କୁ ଏନେଇ ତିନି ମାସ ହେବ ସ୍ଥାନୀୟ ଲୋକେ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ଲୋକେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ତେବେ ଜିଲ୍ଲାର ମୋଟ 29ଟି ମାଙ୍କଡା ଓ ମୋରାମ ଖଣି ନିଲାମ ଦିଆଯାଇଥିବାବେଳେ 50ରୁ ଅଧିକ ବେଆଇନ ଖଣି ଖନନ ଚାଲିଥିବା ଜଣାପଡିଛି ।