ଭୁବନେଶ୍ବର: ରାଜଧାନୀରେ ଏବେ ପୁଣି ଚର୍ଚ୍ଚାରେ ସରକାରୀ କ୍ବାର୍ଟର । ପୋଷ୍ଟାଲ କଲୋନୀର ଏକ କ୍ବାର୍ଟରରୁ ୩୦ କୋଟି ଟଙ୍କା ଜବତ ଘଟଣା ପରେ ବଢିଛି ଏନେଇ ଚର୍ଚ୍ଚା । କଲୋନୀର ଡିଏନ୍ ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଭଡ଼ା ଘର ସମେତ ୧୦୪ରେ ଥିବା ଜଣେ ସାଧାରଣ ଲୋକ ନୀରଜ ସିଂହଙ୍କ ଘରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଜବତ ହେବା ଘଟଣା ଏବେ ଏହାକୁ ଖୋରାକ୍ ଯୋଗାଇଛି । ଏପରିକି ପରିତ୍ୟକ୍ତ ଘର ବା ଭାଙ୍ଗିରୁଜି ଯାଇଥିବା ଏହି ସରକାରୀ କ୍ବାର୍ଟରରୁ ଏପରି କୋଟି କୋଟି ଟଙ୍କା ନଗଦ ଆକାରରେ ଆୟକର ବିଭାଗ ହାତରେ ଜବତ ହେବା ସେଠାକାର ସ୍ଥାନୀୟ ଲୋକଙ୍କୁ ଯେତିକି ଚକିତ କରିଛି, ସେତିକି ମଧ୍ୟ ସନ୍ଦେହ ବଢ଼ାଇଛି । ବେଆଇନ କାମ ପାଇଁ ଏବେ ସରକାରୀ କ୍ବାର୍ଟର କାରବାରର ମାଧ୍ୟମ ପାଲଟିଥିବା ଚର୍ଚ୍ଚା ହେଉଛି । ଏସବୁ ଉପରେ ନା ରହୁଛି ନିୟନ୍ତ୍ରଣ, ଆଉ ନା ଏହା ଉପରେ ରହୁଛି କଡ଼ା ନଜର । ନଜର ଆଢ଼ୁଆଳରେ ଏପରି କାରବାର ଏବେ ସଭିଙ୍କୁ ଚକିତ କରିଛି ।
ସରକାରୀକ୍ବାର୍ଟର ପାଲଟିଛି ବେଆଇନ କାରବାରର ମାଧ୍ୟମ: ସରକାରୀ କ୍ବାର୍ଟର ଏବେ ଦୁଇ ନମ୍ବରୀ କାମରେ ହେଉଛି ବ୍ୟବହାର । ପୋଲିସ ଓ ତଦନ୍ତକାରୀ ଏଜେନ୍ସି ନଜରରୁ ବର୍ତ୍ତିବାକୁ ଏବେ ଏହା ପାଲଟିଛି ଅପରାଧୀଙ୍କ ପାଇଁ ଏକ ସୁରକ୍ଷା ସ୍ଥାନ । ନା ଅଛି ପୋଲିସ ବା ରେଡ୍ର ଭୟ, ନା କେହି ସହଜରେ ପଶିବାକୁ କରିବେ ସାହାସ । ଯାହାକୁ ନେଇ ସରକାରୀ କ୍ବାର୍ଟରକୁ ବେଆଇନ କାରବାର ପାଇଁ ବ୍ୟବହାର କରୁଛନ୍ତି ଖଳ ପ୍ରକୃତିର ଲୋକେ । ହାଇ ସିକ୍ୟୁରିଟି ଜୋନ ଭଳି ସ୍ଥାନରେ ଏବେ ଏଭଳି କାରବାର ସାମ୍ନାକୁ ଆସୁଛି । ସରକାରୀ କ୍ବାର୍ଟରକୁ ଢାଲ କରି ବେଆଇନ କାମରେ ଚାଲିଛି ବ୍ୟବହାର । ଡ୍ରଗ୍ସ ଠାରୁ ଆରମ୍ଭ କରି ନିଶା କାରବାରର ମାଧ୍ୟମ ପାଲଟିଛି ଏହି ସରକାରୀ କ୍ବାର୍ଟର । ଏପରିକି ବିସ୍ଫୋରକ ସାମଗ୍ରୀ ଓ ଅନେକ ଚୋରା ଚାଲାଣକାରୀଙ୍କ ଷ୍ଟକ୍ ହାଉସ ପାଲଟିଛି । ବ୍ୟବସାୟୀକ କାରବାରର ଏହା ଏବେ ପେଣ୍ଠସ୍ଥଳ ପାଲଟିଛି । କିଛି ଦିନ ତଳେ ଏନେଇ ଏକ ଗ୍ରାଉଣ୍ଡ ଜିରୋ ରିପୋର୍ଟ ବେଳେ ସାମ୍ନାକୁ ଆସିଥିଲା କିଭଳି ରାଜମହଲ ଉପରେ ଥିବା ସରକାରୀ କ୍ବାର୍ଟର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ପାଲଟିଛି । ଅର୍ଥାତ୍ କ୍ବାର୍ଟର ଆଲର୍ଟମେଣ୍ଟ ଜଣକୁ ହେଲେ, ବ୍ୟବହାର କରୁଛନ୍ତି ଅନାମଧେୟ ଲୋକ ।