ଭୁବନେଶ୍ବର:ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଆଜି ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ବ ନେବେ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ଜେନା । ସେହିପରି ଉନ୍ନୟନ କମିଶନର ଭାବେ ଅନୁ ଗର୍ଗ ଓ ଏସଆରସି ଭାବେ ନିକୁଞ୍ଜ ବିହାରୀ ଧଳ ନୂଆ ପଦବୀ ଗ୍ରହଣ କରିବେ । ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିବା ସୁରେଶ ଚନ୍ଦ୍ର ମହାପାତ୍ର ଓଇଆରସି ଅଧ୍ୟକ୍ଷ ଭାବେ ଆଜିଠାରୁ ଦାୟିତ୍ୱ ସମ୍ଭାଳିବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଏହି ବରିଷ୍ଠ ପ୍ରଶାସକଗଣ ।
ଗତକାଲି ସନ୍ଧ୍ୟାରେ ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ନୂଆ ମୁଖ୍ୟ ଶାସନ ସଚିବ ଉଭୟ ପ୍ରଦୀପ କୁମାର ଜେନା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଆର ବାଲାକ୍ରୀଷ୍ଣନ ଉପସ୍ଥିତ ଥିଲେ । ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପ୍ରଶାସକମାନଙ୍କ ସହ ଆଲୋଚନା କରିଥିଲେ । ବଜେଟ ପରିଚାଳନା, ବିପର୍ଯ୍ୟୟ ମୁକାବିଲା, ଯୋଜନାର ରୂପାନ୍ତରିକରଣ ନେଇ ମାର୍ଗଦର୍ଶନ ଦେଇଥିଲେ ନବୀନ ।
ଆଜି ରାଜ୍ୟର 45ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରଦୀପ କୁମାର ଜେନା । ନିକଟରେ ରାଜ୍ୟ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱ ମଧ୍ୟ ତୁଲାଇବେ । ଏହାପୂର୍ବରୁ ପ୍ରଦୀପ ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ଦାୟିତ୍ୱ ସମ୍ଭାଳୁଥିଲେ । ପ୍ରଦୀପ ହେଉଛନ୍ତି 1989 ବ୍ୟାଚ ଆଇଏଏସ୍ ଅଫିସର । ଦକ୍ଷ ପ୍ରଶାସକ ଭାବେ ପରିଚିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । 1964 ମସିହା ଜାନୁଆରୀ 1ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ ଜେନା । ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଜିଲ୍ଲା ଓ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ପ୍ରତିପାଦନ କରିଛନ୍ତି ।