ଭୁବନେଶ୍ବର:୨ ବର୍ଷ ପୂର୍ବେ ବିବାହ କରି ସାତ ଜନ୍ମର ସାଥି ହେବା ପାଇଁ ପ୍ରତିଜ୍ଞା କରିଥିଲେ । ଏହାପରେ ହସ ଖୁସୀରେ ସଂସାର ଗାଡି ଆଗକୁ ଚାଲିବା ସହ ଏକ ଦେଢବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଥିଲା । ତେବେ ହସଖୁସିର ପରିବାର ଭିତରେ କାଳ ସାଜିଲା ପରକୀୟା ପ୍ରୀତି । ସାତଜନ୍ମର ସାଥି ହେବା ପାଇଁ ସାତବର୍ଷ ପାଇଁ ମଧ୍ୟ ସାଥ ଦେଲା ନାହିଁ । ପରକୀୟା ପ୍ରୀତି ସନ୍ଦେହ କରି ନିଜର ଧର୍ମପତ୍ନୀର ଜୀବନ ନେଇଗଲା ସଇତାନ ସ୍ବାମୀ । ଯେଉଁ ବେକରେ ମଙ୍ଗଳସୁତ୍ର ପିନ୍ଧାଇ ନିଜର କରିଥିଲା ସେହି ତଣ୍ଟିକୁ ଚିପି ପ୍ରାଣ ନେଇଗଲା । ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ହୋଇଛି ରାଜଧାନୀ ଭରତପୁର ଥାନା ଅନ୍ତର୍ଗତ ତେଲୁଗୁ ସାହିରେ । ମୃତ ମହିଳା ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ମାମା ପ୍ରଧାନ, ବୟସ ୨୧ ବର୍ଷ । ଅଭିଯୁକ୍ତ ସାଗର ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ମିଳିଥିବା ସୂଚନାଅନୁସାରେ, ମାମା ପ୍ରଧାନ ତେଲୁଗୁ ବସ୍ତିରେ ସ୍ବାମୀ ସାଗର ପ୍ରଧାନ ସହ ରହି ଆସୁଥିଲେ । ଘର ଗଞ୍ଜାମ ହଳଦିଆପଦର ହୋଇଥିବା ବେଳେ ସାଗର ରାଜମିସ୍ତ୍ରୀ ଭାବେ କାମ କରୁଥିବାରୁ ଦେଢମାସ ହେବ ତେଲୁଗୁ ବସ୍ତିରେ ଘର ଭଡା ନେଇ ରହୁଥିଲେ । ତେବେ ଦୁଇବର୍ଷର ବିବାହ ସମ୍ପର୍କରେ ଏନେକ ସମୟରେ ବିବାଦ ହେଉଥିଲା । ସ୍ତ୍ରୀର ଅନ୍ୟ କାହା ସହ ପରକୀୟା ପ୍ରୀତି ନେଇ ସନ୍ଦେହ କରୁଥିବା ସ୍ବାମୀ । ଏପରିକି ୭ମାସ ତଳେ ଆଉ ଜଣେ ପୁରୁଷ ସହ ୨୧ବର୍ଷିୟା ସ୍ତ୍ରୀ ପଳାଇଥିବା ନେଇ ନିଜ ଗାଁ ଥାନାରେ ଅଭିଯୋଗ କରିଥିଲା। ଯାହାକୁ ନେଇ ସାଗର ନିଜ ପୁଅକୁ ତା'ର ଜେଜେ ମା’ ପାଖେ ଛାଡି ଦେଇଥିଲେ । ଅପରପକ୍ଷେ ସାଗର ବିରୋଧରେ ଦିଗପହଣ୍ଡି ଥାନାରେ ଏକ ଅଭିଯୋଗ କରିଥିଲା ମାମା । ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇ ପୁଣି ଥରେ ଦୁହେଁ ଏକାଠି ହୋଇଥିଲେ ।