ଭୁବନେଶ୍ବର: ସ୍ତ୍ରୀକୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରି ଗିରଫ ହେଲା ସ୍ବାମୀ । ନିଶା ପାଇଁ ଏଭଳି ନାରକୀୟ କାଣ୍ଡ ଘଟିଥିବା ଜଣାପଡିଛି । ଦୀର୍ଘ ୧୫ ମାସ ଧରି ପୋଲିସ ସହ ଲୁଚକାଳି ପରେ ଏବେ ଅଭିଯୁକ୍ତ କୁଳମଣି ସାହୁକୁ ଗିରଫ କରିଛି ପୋଲିସ । ନିଶା ପାଇଁ ସଇତାନ ସାଜି ନିଜ ସ୍ତ୍ରୀକୁ ଗ୍ୟାସରେ ନିଆଁ ଲଗାଇ ରୋଷେଇ ଘରେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ ସ୍ବାମୀ । ପୋଲିସର କହିବା ଅନୁସାରେ, "ଡ୍ରାଇଭର ଭାବେ କାମ କରୁଥିବା କୁଳମଣି ସାହୁ ଯେଉଁ ମାଲିକ ଘରେ କାମ କରୁଥିଲେ ସେହିଠାରେ ସହାୟିକା ଭାବେ ଥିବା ମହିଳା ପ୍ରଭାତୀଙ୍କ ପ୍ରେମରେ ପଡ଼ିଥିଲେ । ପରେ ଉଭୟଙ୍କ ବିବାହ ମଧ୍ୟ କରିଥିଲେ । ସେମାନଙ୍କର ୩ ବର୍ଷର ଶିଶୁକନ୍ୟା ମଧ୍ୟ ରହିଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ହେଲେ ନିତିଦିନ ନିଶା ସେବନ କରି ସ୍ତ୍ରୀକୁ ନିର୍ଯାତନା ଦେଇ ଆସୁଥିଲା ଅଭିଯୁକ୍ତ ସ୍ବାମୀ । ଏହାକୁ ବିରୋଧ କରିବାରୁ ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ସୁପରିକଳ୍ପିତ ଷଡଯନ୍ତ୍ର ରଚିଥିଲା ସ୍ବାମୀ । ଭରତପୁର ଥାନା ଅଞ୍ଚଳରେ ରହୁଥିବା ଭଡ଼ା ଘରେ ଏହି ପ୍ଲାନ୍ ପ୍ରସ୍ତୁତ କରିଥିଲା ଅଭିଯୁକ୍ତ। ଏନେଇ ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖରେ ସ୍ବାମୀ ଘରେ ଭଲ ବ୍ୟବହାର ଦେଖାଇବା ସହ ନିଶା ନ ଖାଇବାର ନାଟକ ରଚିଥିଲା। ଆଉ ବିଳମ୍ବିତ ରାତିରେ ସ୍ତ୍ରୀକୁ ରୋଷେଇ ଘରକୁ ଡାକିଥିଲା। ରୋଷେଇ ଘରେ ରଖାଯାଇଥିବା ଗ୍ଯାସର ପାଇପ ଖୋଲି ଦେଇ ହଠାତ୍ ନିଆଁ ଲଗାଇଦେବା ପରେ ପୀଡିତାଙ୍କୁ ବାହାର ପଟୁ କବାଟ ବନ୍ଦ କରି ସେଠାରୁ ଦୌଡି ପଳାଇଥିଲା ସ୍ବାମୀ" ।