ଓଡିଶା

odisha

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି

By

Published : May 3, 2023, 1:23 PM IST

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ବଢିଲା ଅନୁକମ୍ପା ରାଶି । ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି । ଅଧିକ ପଢନ୍ତୁ

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ବଢିଲା ଅନୁକମ୍ପା ରାଶି
ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ବଢିଲା ଅନୁକମ୍ପା ରାଶି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ । ପ୍ରତିବର୍ଷ ବନ୍ୟପ୍ରାଣୀ ଆକ୍ରମଣରେ ରାଜ୍ୟରେ ଅନେକ ଲୋକ ମୃତାହତ ହେଉଛନ୍ତି । ଏହି ମୃତାହତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥିବା ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି । ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ସହିତ ଘରଦ୍ବାର ଭାଙ୍ଗିବା ଓ ଫସଲ ନଷ୍ଟର ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ ବନ୍ୟପ୍ରାଣୀ ଆକ୍ରମଣରେ ମଣିଷର ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ରାଶିର ପରିମାଣ ୪ ଲକ୍ଷରୁ ୬ ଲକ୍ଷ ଟଙ୍କା କରାଯାଇଛି ।

ସେହିପରି ଗୁରୁତର ଆହତଙ୍କ (Permanent Injury) କ୍ଷେତ୍ରରେ ସହାୟତା ପରିମାଣ ମଧ୍ୟ ବୃଦ୍ଧି ପାଇଛି । ୬୦ ପ୍ରତିଶତରୁ କମ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା । ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ, ସେ କ୍ଷେତ୍ରରେ ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଚିକିତ୍ସାର ସମୟ ଏକ ସପ୍ତାହରୁ କମ ହେଲେ, ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ ।

ଗୋମହିଷାଦି ପ୍ରାଣୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ବୃଦ୍ଧି ପାଇଛି । ଗାଈ ବା ମଇଁଷିଙ୍କ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୩୭,୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ କ୍ଷେତ୍ରରେ ସହାୟତା ୩୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା । ବାଛୁରୀ ମୃତ୍ୟୁ ପାଇଁ ସହାୟତା ପରିମାଣ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା, ଛେଳି ମେଣ୍ଢାଙ୍କ ମୃତ୍ୟୁ କ୍ଷେତ୍ରରେ ୨୦୦୦ ଟଙ୍କାରୁ ୪୦୦୦ ଟଙ୍କା ଓ ମେଣ୍ଢା ଛୁଆ ମୃତ୍ୟୁ କ୍ଷେତ୍ରରେ ୭୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଫସଲ କ୍ଷୟକ୍ଷତି କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବଢିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି । ସେହିପରି ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ, ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ । ପୂର୍ବରୁ ଏହି ସହାୟତା ପରିମାଣ ୧୦,୦୦୦ ଟଙ୍କା ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details