ଭୁବନେଶ୍ୱର:ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପଶି ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ ରୋଗୀଙ୍କ ସମ୍ପର୍କୀୟ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ନର୍ସଙ୍କ ସମେତ ଅନ୍ୟ ଷ୍ଟାଫ୍ ଓ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଆଉ ଏହି ମାଡ଼ ମାରୁଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଜଣେ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସଠିକ ଚିକିତ୍ସା କରାଯାଇନଥିବା ଅଭିଯୋଗ କରି ନରେନ୍ଦ୍ର ଦାସ ଓ ସ୍ମୃତି ରଞ୍ଜନ ମହାନ୍ତି ନାମକ ଦୁଇ ଜଣ ଯୁବକ ନିଜ ସହଯୋଗୀଙ୍କ ସହ ହସ୍ପିଟାଲରେ ପଶି କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି ।
ସେପଟେ ପୂର୍ବରୁ ମଧ୍ୟ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ନେଇ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଆଣିଥିଲେ ନବ ଜନ୍ମିତ ଏକ ଛୁଆର ବାପା ଓ ମା'। ଜନ୍ମିତ ପୁଅକୁ ବଦଳ କରି ସେହି ସ୍ଥାନରେ ଶିଶୁକନ୍ୟାକୁ ରଖାଯାଇଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା କ୍ୟାପିଟାଲ ହସ୍ପିଟାଲ। ଏନେଇ ସୁପରିଟେଣ୍ଡ ଓ ଡେପୁଟି ସୁପରିଟେଣ୍ଡଙ୍କ ସହ ଗାଇନକୋଲୋଜି ବିଭାଗର ଏଚଓଡିଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍ ତଦନ୍ତ ଜୋରଦାର କରିଥିଲେ ।