ଭୁବନେଶ୍ବର:ପୁରୁଷ ହକି ବିଶ୍ବକପକୁ ଆଉ ମାତ୍ର 18 ଦିନ ବାକି ରହିଛି । ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ଏହାରି ମଧ୍ୟରେ FIH ଓଡ଼ିଶା ପୁରୁଷ ହକି ବିଶ୍ବକପ ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ଆସି ପହଞ୍ଚିଛି । ହକି ବିଶ୍ବକପ ଟ୍ରଫି ପରିକ୍ରମାକୁ ଭୁବନେଶ୍ବରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରା ଏବଂ ବିଏମସି କମିଶନର ସୁଲୋଚନା ଦାସ ଏହି ଟ୍ରଫି ସହିତ ଭୁବନେଶ୍ଵରରେ ପରିକ୍ରମା କରିଛନ୍ତି ।
ହକି ବିଶ୍ବକପ ଟ୍ରଫିଟିକୁ ବିମାନ ବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ସମସ୍ତ ସ୍ବାଗତ କରିଥିଲେ । ଲିଙ୍ଗରାଜ ମନ୍ଦିର, ସୋଆ ୟୁନିଭର୍ସିଟି, ଏସପ୍ଲାନେଡ ମଲ ଏବଂ କିଟ୍ ୟୁନିଭର୍ସିଟି ଆଦି ପରିକ୍ରମା କରିବା ନେଇ ଯୋଜନା ରହିଛି । ଏହାପରେ ବିଶ୍ବକପ ଟ୍ରଫି ନୟାଗଡ଼ ଅଭିମୁଖେ ଯାତ୍ରା କରିବ । ୨୧ ଦିନ ମଧ୍ୟରେ ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଲେଣି । ଡିସେମ୍ବର ୨୫ରେ ଟ୍ରଫି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଓଡ଼ିଶା ଫେରିଛି । ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଟ୍ରଫି ପରିକ୍ରମା କରିବା ନେଇ ଯୋଜନା ରହିଛି ।