ଭୁବନେଶ୍ବର:FIH ପୁରୁଷ ହକି ବିଶ୍ବକପରେ ଅନ୍ତିମ ପୁଲ ମ୍ୟାଚ ଖେଳିବ ଭାରତ । କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଖେଳିବ ଭାରତ । ଆଜି ଭାରତ ପାଇଁ ଏକ ପ୍ରକାର କର ବା ମର ସ୍ଥିତି ସଦୃଶ ହେବ । ଏକ ହୋଇ ସମ୍ପୂର୍ଣ୍ଣ ଟିମ୍ ଆଟାକିଂ ଗେମ୍ ଖେଳିବା ଆବଶ୍ୟକ । ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ଦଳକୁ ଭେଟିବ । ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ଭାରତୀୟ ହକି ଦଳ ସ୍ପେନ୍ ବିପକ୍ଷରେ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଡ୍ର' ହୋଇଛି । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିବାକୁ ହେଲେ ପୁଲ୍’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଆଜି ମ୍ୟାଚ୍ରେ ବଡ଼ ବ୍ୟବଧାନରେ ଜିତି ପୁଲ୍-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବି ଜୋଶ୍ ଦେଖିବାକୁ ମିଳିଛି । ଏଭଳି କିଛି ଦର୍ଶକଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡ଼ା ।
ସେପଟେ ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଭାରତୀୟ ହକି ଦଳର କୋଚ ଗ୍ରାହମ୍ ରିଡ ଓ ଅଧିନାୟକ ହରମନପ୍ରୀତ ସିଂହ । ବିଶ୍ବକପର ପ୍ରଥମ ମ୍ୟାଚରେ ସ୍ପେନ୍ ଠାରୁ ୨-୦ରେ ଜିତିଛି ଭାରତୀୟ ଦଳ । କିନ୍ତୁ ଇଂଲଣ୍ଡ ସହିତ କଡ଼ା ସଙ୍ଘର୍ଶ ପରେ ମ୍ୟାଚ୍ ଡ୍ର ହେଇଥିଲା । ତେବେ ଉଭୟ ମ୍ୟାଚ୍ରେ ଦଳ ପେନାଲ୍ଟି କର୍ଣ୍ଣରକୁ ଗୋଲ କରିପାରୁନଥିବା ଦେଖିବାକୁ ମିଳିଛି । ତେବେ ଦଳ ପାଉଥିବା ପେନାଲ୍ଟି କର୍ଣ୍ଣରର ଫାଇଦା ଉଠାଇ ନପାରିବା ଏପର୍ଯ୍ୟନ୍ତ ଦଳ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି । ତେବେ ସର୍ବାଧିକ ଗୋଲ୍ ସ୍କୋର୍ କରି ଟେବୁଲ୍ ଟପ୍ କରିବାକୁ ଲକ୍ଷ୍ୟ ରଖି ମୌଦାନକୁ ଓହ୍ଲାଇବୁ ବୋଲି ମେନ୍ ଇନ୍ ବ୍ଲୁ ଲକ୍ଷ୍ୟ ରଖିଛି ।