ଭୁବନେଶ୍ବର: ରାଜଧାନୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ତାତି । ସିବିଆଇ ତଦନ୍ତ ଦାବିରେ ଝାଞ୍ଜ ଓ ମାର୍ଦଳ ପିଟି ପ୍ରତିବାଦ । ଏକାଠି ହେଲେ ହଜାରରୁ ଅଧିକ ଧର୍ମରକ୍ଷାକାରୀ କର୍ମୀ । ଶିକ୍ଷାବିତ, ସାଧୁ ଓ ବୁଦ୍ଧିଜୀବୀଙ୍କ ୩୬ ତମ ଧର୍ମ ସମ୍ମିଳନୀରେ ଏନେଇ ଦିବ୍ୟଜ୍ୟୋତି ଜାଳି ଘଟଣାର ସିବିଆଇ ତଦନ୍ତ ପାଇଁ କରିଛନ୍ତି ଦାବି । ଗତ ୨୩ ଅଗଷ୍ଟ ୨୦୦୮ ମସିହାରେ ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଶାସକ ଦଳର ଜଣେ ରାଜ୍ୟସଭା ସାଂସଦଙ୍କ ଷଡଯନ୍ତ୍ର ଲିଙ୍କ୍ ରହିଥିବହା ଚର୍ଚ୍ଚା ହୋଇଥିଲା ।
ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶିକ୍ଷାବିତ, ସାଧୁ ଓ ବୁଦ୍ଧିଜୀବୀ । ଧର୍ମକୁ ନେଇ ଓଡ଼ିଶାରେ ଭୋଟ ରାଜନୀତି ନଥିବାରୁ ଏନେଇ ରାଜନୈତିକ ଦଳ ଚୁପ ଥିବା ଅଭିଯୋଗ ଆଣିଛନ୍ତି ଦେବାଶିଷ ହୋତା । ସେ କହିଛନ୍ତି, "ଏଠାରେ ଧର୍ମାନ୍ତରୀକରଣ ନାମରେ ହିଂସାକାଣ୍ଡ ଘଟାଉଛନ୍ତି । ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦିଆଯାଉଛି । ୧୯୯୯ ମସିହା ଗ୍ରାହାମଷ୍ଟେନ ହତ୍ୟାକାଣ୍ଡର ତ୍ଵରିତ ପଦକ୍ଷେପ ନିଆଯାଇଥିବା ବେଳେ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରେ କାହିଁକି ନଜର ପଡୁନାହିଁ ରାଜନୈତିକ ନେତାଙ୍କର । ଜବରଦସ୍ତି ଧର୍ମାନ୍ତରୀକରଣ ଏକ ଆଇନତଃ ଅପରାଧ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ଏହାକୁ ବିରୋଧ କରୁଛନ୍ତି କନ୍ଧମାନେ ।" ଏହି ଆକ୍ରୋଶ ରଖି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ଷଡଯନ୍ତ୍ରକାରୀ ହତ୍ୟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।