ଖୋର୍ଦ୍ଧା: ଭାଇଚାରା ପ୍ରୀତିର ନିଆରା ପରମ୍ପରା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡାର ଦଶହରା ପର୍ବ । ଆଶ୍ବିନ ମାସ ଶୁକ୍ଳପକ୍ଷ ସପ୍ତମୀ ରାତିରୁ ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଛି ମା' କନକ ଦୁର୍ଗାଙ୍କ ପୂଜା । ଏଠାରେ ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନ ଏକାଠି ପାଳନ କରିଥାନ୍ତି । ଏହି ପରମ୍ପରା ଷୋଡଶ ଶତାବ୍ଦୀରୁ ଏଠାରେ ପାଳନ ହୋଇଆସୁଥିବାର ଲୋକକଥା ରହିଛି ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିକାଗୋଡା ଗ୍ରାମର ଦଶହରା ପର୍ବ ଭାଇଚାରା ପ୍ରୀତିର ନିଆରା ବାର୍ତ୍ତା ବାଣ୍ଟିଥାଏ । ଏଠାରେ ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନମାନେ ଏକାଠି ପାଳନ କରିଥାନ୍ତି । ସେହପରି ଏଠାରେ ଦଶହରା ଦିନ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲମାନ ସମ୍ପ୍ରଦାୟର ଦଳବେହେରା । ଏଥିପାଇଁ ମାଣିକଗୋଡା ଦଶହରା ସମଗ୍ର ଭାରତରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଗ୍ରାମରେ ୪୦ ଭାଗ ମୁସଲମାନ ଓ ୬୦ ଭାଗ ହିନ୍ଦୁ ଲୋକ ବାସକରୁଛନ୍ତି । ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା' କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ।