ଭୁବନେଶ୍ବର:୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣ-ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ପ୍ରକ୍ରିୟା ଅଟକିଛି । ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ଜୋରଦାର ବିରୋଧ ପରେ ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି ହୋଇଥିବା ଚିଠି ପ୍ରତ୍ୟାହୃତ ହୋଇଛି । ୨୦୦୮ ଜୁନ ୧ ତାରିଖରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ବିଭାଗ ପକ୍ଷରୁ ମଗାଯାଇଥିଲା । ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଆସିବ ବୋଲି କୁହାଯାଇଥିଲା । ଏହି ଚିଠିକୁ ନେଇ ବିବାଦ ଦେଖାଦେଇଥିଲା ।
କେତେକ ଅଧ୍ୟାପକ ଓ କର୍ମଚାରୀ ଏହାକୁ ସ୍ବାଗତ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ । ଉକ୍ତ ଚିଠିିକୁ ପ୍ରତ୍ୟାହାର ଦାବିରେ ଗତ ୨୭ ତାରିଖରେ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ ହୋଇଥିଲା । ୨୦୦୮ରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ନେଇ ସେମାନଙ୍କୁ ଅନୁଦାନ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଘ ଦାବି କରିଥିଲା । ଏହାପରେ ଉକ୍ତ ଅନୁଦାନ ଚିଠିକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି ।
ଏହାମଧ୍ୟ ପଢନ୍ତୁ: ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠିକୁ ବିରୋଧ, ପ୍ରତ୍ୟାହାର ନହେଲେ ଆନ୍ଦୋଳନ