ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ସୁଦୃଢ଼ୀକରଣ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ଅଧିନରେ ଥିବା ବିଶ୍ଵବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ସରକାରୀ ମହାବିଦ୍ୟାଳୟ ଗୁଡିକରେ ଭିତ୍ତିଭୂମିକୁ ଗୁରୁତ୍ଵ ଦିଆଯାଉଛି । ୯୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ଭିତ୍ତିଭୂମିର କାର୍ଯ୍ୟ ଜାରି ରହିଛି । ଯାହା ଆଗାମୀ ୧୪ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କେଉଁ ଶିକ୍ଷାନୁଷ୍ଠାନର ନିର୍ଦ୍ଦିଷ୍ଟ ଭିତ୍ତିଭୂମି କାର୍ଯ୍ୟ ସରିବ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ସୂଚନା ଅନୁଯାୟୀ, ୭ଟି ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିକୁ ଗୁରୁତ୍ଵ ଦିଆଯାଇଛି । ସମ୍ବଲପୁର ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି କାର୍ଯ୍ୟ ଆସନ୍ତା ମାସ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଠାରେ CIF ବିଲ୍ଡିଂ ଏବଂ ଫୁଡ୍ କୋର୍ଟ କରାଯାଉଛି । ସେହିପରି କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟର କାର୍ଯ୍ୟ ଆସନ୍ତା ମାସ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଛାତ୍ରୀଙ୍କ ହଷ୍ଟେଲ, କମନ୍ ରୁମ୍, ହେରିଟେଜ ବିଲ୍ଡିଂ, ଆର୍ଟସ ବିଲ୍ଡିଂ ଆଦି କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସମ୍ବଲପୁରର ଓପନ ବିଶ୍ଵବିଦ୍ୟାଳୟର ମଧ୍ୟ ପ୍ରଶାସନିକ ବିଲ୍ଡିଂ ପ୍ରସ୍ତୁତ କରାଯାଉଛି ।
ଖୋର୍ଦ୍ଧାର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଏଠାରେ G+3 ବିଲ୍ଡିଂ କରାଯାଉଛି। ଯାହା ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିପରି ଭାବେ ସମ୍ବଲପୁରର ଗଙ୍ଗାଧର ମେହେର, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ଏବଂ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କାର୍ଯ୍ୟ ଚାଲୁରହିଛି । ଅନ୍ୟପଟେ ସରକାରୀ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ସରକାରୀ ମହାବିଦ୍ୟାଳୟରେ ୩ଟି ମହାବିଦ୍ୟାଳୟର ରହିଥିବା ବେଳେ ଗଜପତି କନ୍ଧମାଳ ଏବଂ କୋରାପୁଟର ପ୍ରଶାସନିକ ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି ।