ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍ ଗ୍ରେଡ କମିବା ପରେ ଏ ପର୍ଯ୍ୟନ୍ତ କାରଣ ଖୋଜା ସରୁନି । ୨୦୧୬ ମସିହାରେ ୩.୫୩ ସ୍କୋର ସହ ‘ଏ+’ ଗ୍ରେଡ୍ ପାଇଥିବା ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟର ଗ୍ରେଡ୍ ୨୦୨୩ ମସିହାରେ ୩.୧୬ ସ୍କୋର ସହ ‘ଏ’କୁ ଖସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯିବା ସହ ପରାମର୍ଶ ଦେଇଛି । ଦୁର୍ବଳତା ଚିହ୍ନଟ କରି ଉନ୍ନତି ପାଇଁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଏହି ବିବରଣୀ ବିଭାଗକୁ ପଠାଯାଇଥିଲା । ଯାହାକୁ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରାଯାଇଛି ।
ଏଥିରେ ୨୦୧୬ ଏବଂ ୨୦୨୩ ଗ୍ରେଡର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ଏବଂ କେଉଁଥିରେ ନମ୍ବର କମିଲା, ତାହା ମଧ୍ୟ ଉଲ୍ଲେଖ ରହିଛି । ନାକ୍ ଗ୍ରେଡ ପାଇଁ ୭ଟି ପଏଣ୍ଟ ରହିଛି ଯଥା ପାଠ୍ୟକ୍ରମ, ଶିକ୍ଷାଦାନ ଓ ମୂଲ୍ୟାଙ୍କନ, ଗବେଷଣା, ଭିତ୍ତିଭୂମି, ଛାତ୍ର ସମର୍ଥନ ଓ ଏହାର ପ୍ରଗତି, ଶାସନର ନେତୃତ୍ବ ଓ ଏହାର ପରିଚାଳନା ଏବଂ ଇନୋଭେଶନ । ଏହା ଭିତରୁ ଶିକ୍ଷାଦାନରେ ଗ୍ରେଡ କମିଛି । ୨୦୧୬ ମସିହାରେ ୩.୯୦ ରହିଥିବା ବେଳେ ୨୦୨୩ ବର୍ଷରେ ଏହାର ପଏଣ୍ଟ ୩.୧୫ ରହିଛି ।
ସେହିପରି ଭାବରେ ଗବେଷଣାରେ ମଧ୍ୟ କମିଛି । ୨୦୧୬ ବର୍ଷରେ ପଏଣ୍ଟ ଥିଲା ୩.୭୬ କିନ୍ତୁ ୨୦୨୩ ବର୍ଷରେ ଏହାର ପଏଣ୍ଟ ରହିଛି ୩.୦୯ । ଭିତ୍ତିଭୂମି ଏବଂ ଶିକ୍ଷାଦାନର ଉତ୍ସରେ ୨୦୨୬ ବର୍ଷରେ ୩.୩୦ ପଏଣ୍ଟ ରହିଥିବା ବେଳେ ୨୦୨୩ ବର୍ଷରେ ଏହାର ପଏଣ୍ଟ ରହିଛି ୩.୩ । ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ଚିନ୍ତନ କରିବାକୁ କୁହାଯାଇଛି ।