ଭୁବନେଶ୍ବର: ସଂଘର୍ଷପୂର୍ଣ୍ଣ ମ୍ୟାଚ । ନା ଗୋଲ କରୁଥିଲେ ନା ଗୋଲ କରିବାକୁ ସୁଯୋଗ ଦେଉଥିଲେ । ସମୟ ସରି ସରି ଆସୁଥାଏ । ଗୋଲ ସ୍କୋର କରିବାକୁ ସୁଯୋଗ ଖୋଜୁଥିଲେ ଭାରତ ଓ ଭାନୁଆଟୁ । ଶେଷରେ 80ମିନିଟରେ ଭାରତ ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଭାରତ ତାର ଦ୍ବିତୀୟ ମୁକାବିଲାରେ ଭାନୁଆଟୁକୁ ଭେଟିଥିଲା । ଏହି ମ୍ୟାଚ ଭାନୁଆଟୁକୁ 1-0 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ସୁନୀଲ ଛେତ୍ରୀ ହିରୋ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତ ପାଇଁ ସୁନୀଲ ଛେତ୍ରୀଙ୍କ ଏହି ଗୋଲ ତାଙ୍କ କ୍ୟାରିୟରର 86ତମ ଗୋଲ ।
ଏହା ବି ପଢନ୍ତୁ...ICC ODI World Cup 2023: ଅକ୍ଟୋବର ୧୫ରେ ଭାରତ-ପାକ୍ ଲଢ଼େଇ !
ଭାରତ ବନାମ ଭାନୁଆଟୁ:ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଘରୋଇ ଭାରତ ବିପକ୍ଷ ଗୋଲକୋଷ୍ଟ ଉପରକୁ ଘନ ଘନ ଆକ୍ରମଣ କିରଥିଲା । କିନ୍ତୁ ଭାନୁଆଟୁ ଗୋଲକିପର ଭାରତ ଆକ୍ରମଣକୁ ମୁକାବିଲା କରି ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ସମୟ ସରି ସରି ଆସୁଥାଏ । ଗୋଲ ସ୍କୋର ସୁଯୋଗରେ ଥାନ୍ତି ଦୁଇଦଳ । ପ୍ରଥାମାର୍ଦ୍ଧରେ ଭାରତ ସପ୍ତମ ଥର ଆଟାକ କରି ମଧ୍ୟ ବିଫଳ ହୋଇଥିଲା । ମ୍ୟାଚରେ 37 ମିନିଟରେ ଭାରତର ମେହତାପ ସିଂ ଏକ ଗୋଲ କରିବାକୁ ପ୍ରୟାସ କରିଥିଲେ ମାତ୍ର ଭାନୁଆଟୁ ଖେଳାଳି ଏହାକୁ ବିଫଳ କରିଥିଲେ । 57ତମ ମିନିଟରେ ସୁନୀଲ ଛେତ୍ରୀ ଭାନାଆଟୁକୁ ପେନାଲ୍ଟି ବକ୍ସ ଭିତରେ ପ୍ରବେଶ କରାଇଥିଲେ । ମାତ୍ର ରକ୍ଷଣଭାଗ ଏହାକୁ ଅଟକାଇ ଦେଇଥିଲେ । 76ତମ ମିନିଟରେ ମଧ୍ୟ ଭାରତକୁ ସୁଯୋଗ ମିଳିଥିଲା ମାତ୍ର ସଫଳ ହୋଇନଥିଲା । 80ମିନିଟରେ ଗୋଲକିପରଙ୍କ ଡାହାଣ ପାର୍ଶ୍ବରେ ସୁବାଶିଷ ବୋଶ ପେନାଲ୍ଟି ବସ୍କକୁ ଏକ ଚମତ୍କାର ପାସ ଦେଇଥିଲେ । ସୁନୀଲ ଛେତ୍ରୀ ଏହାକୁ ଗୋଲପୋଷ୍ଟରେ ପହଞ୍ଚାଇ ଦଳକୁ ବିଜୟୀ କରାଇଥିଲେ ।ବିଜୟ ସହ ସର୍ବାଧିକ 6 ପଏଣ୍ଟ ପାଇଁ ଟେବୁଲ ଶୀର୍ଷରେ ରହିଛି ଭାରତ । ଆସନ୍ତା 16 ତାରିଖରେ ଲେବାନନକୁ ଭେଟିବ ଭାରତ ।