ଖୋର୍ଦ୍ଧା: ଅନ୍ୟକୁ ସାହାଯ୍ୟ କରୁଥିବା ହାତ ଆଜି ନିଜ ପାଇଁ ଅନ୍ୟ ପାଖରେ ହାତ ପାତୁଛି । ଆଉ ହାତ ପାତୁଥିବା ଲୋକ ଜଣକ ହେଉଛନ୍ତି ଜଣେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ପରିସରରେ । ସୂଚନା ଅନୁଯାୟୀ ବେଗୁନିଆ 24 ନଂ ଜୋନରୁ 2002ରେ କଂଗ୍ରେସ ଦଳରୁ ଟିକେଟ ପାଇ ଜିଲ୍ଲାପରିଷଦ ଆସନ ପାଇଁ ଲଢ଼ିଥିଲେ । ବିଜୟୀ ହୋଇଥିଲେ ଦେଉଳି ଗ୍ରାମର ପ୍ରମୋଦ ବେହେରା । କଂଗ୍ରେସର ଜଣେ ଦୃଢ଼ ସଂଗଠକ ଓ ଜଣେ ନେତା ଭାବେ ପ୍ରମୋଦ ଥିଲେ ବେଗୁନିଆ ଅଞ୍ଚଳରେ ବେଶ ଜଣାଶୁଣା ।
ତାଙ୍କ ସମୟରେ ସେ ଅନେକ ଲୋକଙ୍କୁ ସରକାରୀ ଓ ବ୍ୟକ୍ତିଗତ ଭାବେ ବହୁ ସାହାଯ୍ୟ ସହଯୋଗ କରିଥିଲେ । ସମସ୍ତଙ୍କ ପ୍ରିୟ ମଣିଷ ଥିଲେ ପ୍ରମୋଦ। କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଲାନି । ଗତ ୨୦୧୮ ମସିହାରେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ବେହେରା । ବାସ ସେବେଠୁ ସେ ଏକ ପ୍ରକାରର ପଙ୍ଗୁ ହୋଇଯାଇଛନ୍ତି ।
ଦୁର୍ଘଟଣା ଆଣିଲା ଦୁଃଖ: ରାଜ୍ୟସଭା ସାଂସଦ ସ୍ବର୍ଗତଃ ବୈଷ୍ଣବ ପରିଡାଙ୍କ ଏକାଦଶାହ ଭୋଜି ଖାଇ ଭୁବନେଶ୍ୱରରୁ ନିଜ ଗାଁ ଦେଉଳିକୁ ମଟର ସାଇକେଲରେ ଫେରୁଥିଲେ । ସେହି ସମୟରେ ପରିଚ୍ଛଳ ନିକଟରେ ଏକ ଅଜଣା ହାଇୱା ହଠାତ୍ ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋର ଥିଲା ଯେ ରାତିରୁ ସକାଳ ପର୍ଯ୍ୟନ୍ତ ରାସ୍ତା କଡରେ ପଡିଥିଲେ । ଗୋଟିଏ ଯାଗାରୁ ଉଠି ଆଉ ଗୋଟିଏ ଯାଗାକୁ ଯାଇପାରୁୁନଥିଲେ । ସେହିଭଳି ରାତି ସାରା ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିଲେ ପ୍ରମୋଦ । ସକାଳେ କିଛି ସ୍ଥାନୀୟ ଲୋକେ ତାଙ୍କୁ ଦେଖି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ।